ସାମାନ୍ୟ ଘର ଡିହ ପାଇଁ ମଣିଷ କିପରି ପଶୁ ପାଲଟି ଏମିତି ହତ୍ୟାକାଣ୍ଡ ଘଟାଏ ତାର ଜ୍ୱଳନ୍ତ ଦୃଷ୍ଟାନ୍ତ ଦେଖିବାକୁ ମିଳିଛି ଅତାବିରା ସ୍ଥିତ କାଣ୍ଡପାଲି ଗ୍ରାମରେ ।ହତ୍ୟା କରାଯାଇଥିବା ସୁବାର୍ଚ୍ଚନ ଭୁଏ ଅତାବିରା ଏନଏସି ସ୍ଥିତ ୱାର୍ଡ ନଂ ୧୧ କାଣ୍ଡପାଲି ଗ୍ରାମରେ ରହୁଥିଲେ । ଗତ ତା ୧୩/୧ ରିଖ ପ୍ରାୟ ରାତି ୧୦ ଟାରେ ସିଂହପାଲିର ହରିବୋଲ ଭୁଏ ତାଙ୍କ ଭାଇ କେଶବ ଓରଫ ସୁରୁକୁ ଫୋନ କରି କହିଥିଲେ ଯେ, ସୁବାର୍ଚ୍ଚନ୍ ଭୁଏ, ତ୍ରିଲୋଚନ ଭୁଏଙ୍କ ଘରବାଡ଼ି ଜାଗା ପାଇଁ ଗାଳି ଗୁଲଜ କରୁଛି ଓ ମନାକଲେ ମାନୁ ନାହିଁ ବୋଲି ଶୀଘ୍ର ଆସିବାକୁ କହିଥିଲେ । ତେଣୁ କେଶବ ଭୁଏ ଓରଫ ସୁରୁ, ତାର ମାଲିକ ବିଶ୍ଵନାଥ ସାହୁ କାରରେ କାଣ୍ଡପାଲି ଅଭିମୁଖେ ଆସିଥିଲେ ।
କାଣ୍ଡପାଲି ଛକରେ ହରିବୋଲ ଭୁଏ, ଗୋପାଳ ଥାପା, ସୁଶାନ୍ତ ଭୁଏ ଓ ତ୍ରିଲୋଚନ ଭୁଏ ତାଙ୍କୁ ଅପେକ୍ଷା କରି ରହିଥିଲେ । ପ୍ରାୟ ୧୧ଟା ସମୟରେ ସମସ୍ତେ ମିଶି ସୁବାର୍ଚ୍ଚନଙ୍କ ଘରକୁ ଯାଇ ତାଙ୍କୁ ଡାକିଥିଲେ । ତାଙ୍କ ଡାକ ଶୁଣି ସୁବାର୍ଚ୍ଚନ ଘରୁ ବାହାରି ଆସି ତ୍ରିଲୋଚନ ଭୁଏଙ୍କୁ ଦେଖି ଗାଳି ଗୁଲଜ କରିଥିଲେ । ତେଣୁ ରାଗିଯାଇ ସମସ୍ତେ ମିଶି ସୁବାର୍ଚ୍ଚନକୁ ପିଟା ମରା କରିବା ସହିତ ତାକୁ ଜୀବନରୁ ମାରିଦେବା ପାଇଁ ଗୋପାଳ, ସୁଶାନ୍ତ, ହରିବୋଲ, ବିଶ୍ଵନାଥ ଓ ତ୍ରିଲୋଚନ ତାର ହାତ ଗୋଡ ବାନ୍ଧି ତାକୁ ତଳେ ପକାଇ ଦେଇଥିଲେ । କେଶବ ଭୁଏ ଧରିଥିବା ଏକ ସ୍କୃଡାଇଭରରେ ତାଙ୍କ ପେଟ, ଛାତି ଓ ବେକରେ ଭୂଷି ଦେଇଥିଲେ ।
ପୁଣି କାଳେ ବଞ୍ଚିଯିବ ଭାବି ସେହି ସ୍କ୍ରୁ ଡାଇଭରକୁ କେଶବଠାରୁ ଛଡେଇ ନେଇ ହରିବୋଲ ଓ ତାର ସାଙ୍ଗ ଗୋପାଳ, ମାମୁଁ ପୁଅ ସୁଶାନ୍ତ, ମାମୁଁ ତ୍ରିଲୋଚନ ଭୁଏ ଓ ମାଲିକ ବିଶ୍ଵନାଥ ପୁଣି ତାକୁ ବାରମ୍ବାର ସ୍କ୍ରୁ ଡାଇଭରରେ ଭୁଷିଥିଲେ । ତାର ଚିତ୍କାର ଶୁଣି ଗ୍ରାମର ପୂର୍ଣ୍ଣ ବେହେରା ଓ ଗୁଣନିଧି ବେହେରା ଦୌଡ଼ି ଆସି ଏହି ଘଟଣା ଦେଖି ତାଙ୍କୁ ମାରିବା ପାଇଁ ମନା କରିଥିଲେ । କିନ୍ତୁ କେଶବ ସେମାନଙ୍କୁ ମଧ୍ୟ ସେହି ସ୍କ୍ରୁ ଡାଇଭରରେ ପିଟି ଆହତ କରିଦେଇଥିଲେ । ଏହାପରେ ଘଟଣା ସ୍ଥଳରେ ସୁବାର୍ଚ୍ଚନଙ୍କ ମୃତ୍ୟୁ ଘଟିଥିଲା। ଏହାପରେ ଅଭିଯୁକ୍ତମାନେ ସେଠାରୁ ପଳାଇଥିଲେ ।
ରବିବାର ପୁଲିସ ସେହି ଅଭିଯୁକ୍ତମାନଙ୍କୁ ଗିରଫ କରି ସେମାନଙ୍କଠାରୁ ଗୋଟିଏ ସ୍କ୍ରୁ ଡାଇଭର, ଗୋଟିଏ ବାଇକ୍ ଓ ଏକ କାର୍ ଜବତ କରିଛି । ଏ ଘଟଣାକୁ କେନ୍ଦ୍ର କରି ଅତାବିରା ଥାନା ଅଧିକାରୀ ଅନିଲ କୁମାର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଏକ ସାମ୍ବାଦିକ ସମ୍ମିଳନୀ ଡକାଇ ଏହି ଘଟଣା ଉପରୁ ପରଦା ଉଠାଇଥିଲେ। ଅଭିଯୁକ୍ତଙ୍କ ବିରୋଧରେ ଭାରତୀୟ ପେନାଲ୍ କୋର୍ଟ ଧାରା ୩୦୨/୩୦୭/୩୪ କେସ ନମ୍ବର ୨୧ରେ ମାମଲା ରୁଜୁ କରି ତାଙ୍କୁ କୋର୍ଟ ଚାଲାଣ କରିଛି । ଅଭିଯୁକ୍ତମାନଙ୍କ ମଧ୍ୟରୁ କେଶବ, ହରିବୋଲ, ସୁଶାନ୍ତ ଓ ଗୋପାଳ ଥାପା ସିଂହପାଲି ଗ୍ରାମର ହୋଇଥିବା ବେଳେ ତ୍ରିଲୋଚନ କାଣ୍ଡପଲି ଓ ବିଶ୍ଵନାଥ ସାହୁ ଚନ୍ଦନନଗର ୱାର୍ଡ଼ ନମ୍ବର୧ ଭଟଲି ଛକର ବୋଲି ଜଣାପଡିଛି । ତେବେ ଏମିତି ହତ୍ୟାକାଣ୍ଡ ପ୍ରଥମ ଥର ପାଇଁ ଗ୍ରାମରେ ଘଟି ଗ୍ରାମ ତଥା ଅଞ୍ଚଳବାସୀଙ୍କ ମନରେ କୋକୁଆ ଭୟ ସୃଷ୍ଟି କରିଛି ।