ଖେଳଦେଶ ବିଦେଶନ୍ୟୁଜ୍

ନିର୍ଣ୍ଣାୟକ ମ୍ୟାଚ ସଂଘର୍ଷପୂର୍ଣ୍ଣ ହେବା ନେଇ ଆଶା

ନିର୍ଣ୍ଣାୟକ ମ୍ୟାଚ ସଂଘର୍ଷପୂର୍ଣ୍ଣ ହେବା ନେଇ ଆଶା

ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଚାଲିଥିବା ଟି୨୦ ଶୃଙ୍ଖଳାର ନିର୍ଣ୍ଣାୟକ ମ୍ୟାଚ ଶନିବାର ରାଜକୋଟ୍‌ରେ ଖେଳାଯିବ । ୩ ମ୍ୟାଚ ବିଶିଷ୍ଟ ଶୃଙ୍ଖଳାର ପ୍ରଥମ ମ୍ୟାଚକୁ ଘରୋଇ ଭାରତ ଜିତି ନେଇଥିବାବେଳେ ଦ୍ବିତୀୟ ମ୍ୟାଚକୁ ଜିତି ଶ୍ରୀଲଙ୍କା ଦୃଢ ପ୍ରତ୍ୟାବର୍ତ୍ତନ ସହ ବରାବର କରିଛି । ଶୃଙ୍ଖଳା ବରାବର ରହିଥିବାରୁ ନିର୍ଣ୍ଣାୟକ ମ୍ୟାଚ ସଂଘର୍ଷପୂର୍ଣ୍ଣ ହେବା ନେଇ ଆଶା କରାଯାଉଛି ।ହାର୍ଦିକ ପାଣ୍ଡ୍ୟାଙ୍କ ନେତୃତ୍ବାଧିନ ଭାରତ ପ୍ରଥମ ମ୍ୟାଚରେ ଅଳ୍ପକେ ପରାଜୟରୁ ବର୍ତ୍ତିବା ସହିତ ୨ ରନରେ ଜିତି ନେଇଥିଲା। ଦ୍ବିତୀୟ ମ୍ୟାଚରେ ଶ୍ରୀଲଙ୍କା ଜବରଦସ୍ତ ପ୍ରତ୍ୟାବର୍ତ୍ତନ କରିଥିଲା। ଅଧିନାୟକ ଦାସୁନ ଶନକଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ଶ୍ରୀଲଙ୍କା ମ୍ୟାଚକୁ ୧୬ରନରେ ଜିତିବା ସହିତ ଶୃଙ୍ଖଳାକୁ ବରାବର କରିଥିଲା। ଭାରତ ଦୁଇ ମ୍ୟାଚରେ ବ୍ୟାଟିଂ ଓ ବୋଲିଂରେ ଯୁବ ଖେଳାଳିଙ୍କୁ ସୁଯୋଗ ଦେବା ସହିତ ଏକାଧିକ ପରୀକ୍ଷାନିରୀକ୍ଷା କରିଛି। ଓପନର ଇଶାନ କିଷନ ଦୁଇଟି ମ୍ୟାଚରୁ ୩ ଓ ଶୁବମାନ ଗିଲ୍‌ ମାତ୍ର ୧୨ରନ କରିଛନ୍ତି। ସୂର୍ଯ୍ୟକୁମାର ଯାଦବ ପ୍ରଥମ ମ୍ୟାଚରେ ୭ ଓ ଦ୍ବିତୀୟ ମ୍ୟାଚରେ ୫୧ରନ କରିଛନ୍ତି।

ସଞ୍ଜୁ ସାମସନଙ୍କ ସ୍ଥାନରେ ଦ୍ବିତୀୟ ମ୍ୟାଚ ଖେଳିଥିବା ରାହୁଲ ତ୍ରିପାଠୀ ସୁଯୋଗର ସଦୁପଯୋଗରେ ବିଫଳ ହୋଇଥିଲେ। ତ୍ରିପାଠୀ ଅନ୍ତର୍ଜାତୀୟ ପଦାର୍ପଣରେ ମାତ୍ର ୫ରନ କରି ଆଉଟ୍‌ ହୋଇଥିଲେ। ତାଙ୍କୁ ଅନ୍ତିମ ମ୍ୟାଚରେ ସ୍ଥାନ ମିଳିବା ନେଇ ଆଶା କରାଯାଉଛି। ଅନ୍ୟପକ୍ଷରେ ଦୁଇଟି ଯାକ ମ୍ୟାଚରେ ବିଫଳ ହୋଇଥିବା ଶୁବମାନଙ୍କ ସ୍ଥାନରେ ସଞ୍ଜୁ ସାମସନ ଖେଳିବାର ସମ୍ଭାବନା ରହିଛି। ଦୀପକ ହୁଡା ୪୧ ଓ ୧୨ରନ କରିଥିବାବେଳେ ଅଧିନାୟକ ହାର୍ଦିକ ପାଣ୍ଡ୍ୟା ଦୁଇଟି ମ୍ୟାଚରୁ ୪୧ରନ କରିଛନ୍ତି। ଅକ୍ଷର ପଟେଲ ଭଲ ବ୍ୟାଟିଂ କରିବା ସହିତ ଦୁଇଟି ମ୍ୟାଚରୁ ଗୋଟିଏ ଅର୍ଦ୍ଧଶତକ ସହ ୯୬ରନ କରିଛନ୍ତି। ଯାହା ଭାରତ ପାଇଁ ବହୁତ ଭଲ । ବୋଲିଂରେ ଶିଭମ ମାଭି ପ୍ରଥମ ମ୍ୟାଚରେ ୪ଟି ୱିକେଟ ନେଇଥିବାବେଳେ ଦ୍ବିତୀୟ ମ୍ୟାଚରେ ମହଙ୍ଗା ସାବ୍ୟସ୍ତ ହୋଇଥିଲେ।

ମାଭି ଦ୍ବିତୀୟ ମ୍ୟାଚରେ ୫୩ରନ ବ୍ୟୟ କରିଥିଲେ ମଧ୍ୟ କୌଣସି ୱିକେଟ ପାଇନଥିଲେ। ପ୍ରଥମ ମ୍ୟାଚରେ ଦୁଇଟି ୱିକେଟ ନେଇଥିବା ହର୍ଷଲ ପଟେଲଙ୍କ ସ୍ଥାନରେ ଦ୍ବିତୀୟ ମ୍ୟାଚରେ ଅର୍ଶଦୀପ ସିଂହ ଖେଳିଥିଲେ। ଅର୍ଶଦୀପ୍‌ ମହଙ୍ଗା ସାବ୍ୟସ୍ତ ହେବା ସହିତ ଦୁଇ ଓଭରରେ ୩୭ରନ ବ୍ୟୟ କରିଥିଲେ। ଉମ୍ରାନ ମଲିକ ପ୍ରଥମ ମ୍ୟାଚରେ ୨ଟି ଓ ଦ୍ବିତୀୟ ମ୍ୟାଚରେ ୩ଟି ୱିକେଟ ନେଇ ଭଲ ପ୍ରଦର୍ଶନକୁ ବଜାୟ ରଖିବାରେ ସଫଳ ହୋଇଛନ୍ତି। ଦ୍ରୁତ ବୋଲିଂ ବିଭାଗରେ ଭାରତ ମାଭିଙ୍କ ସ୍ଥାନରେ ଅନ୍ତିମ ମ୍ୟାଚରେ ହର୍ଷଲ ପଟେଲଙ୍କୁ ପୁନର୍ବାର ଖେଳାଇବାର ସମ୍ଭାବନା ରହିଛି। ସ୍ପିନ ବୋଲିଂ ବିଭାଗରେ ଭାରତର ଦୁର୍ବଳ ପ୍ରଦର୍ଶନ ରହିଥିଲେ ମଧ୍ୟ ଯୁଜୁବେନ୍ଦ୍ର ଚହଲ ଓ ଅକ୍ଷର ପଟେଲ ଖେଳିବା ମନେ କରାଯାଉଛି। ଅନ୍ୟପକ୍ଷରେ ଶ୍ରୀଲଙ୍କା ମଧ୍ୟ ଉଭୟ ବ୍ୟାଟିଂ ଓ ବୋଲିଂରେ ସନ୍ତୁଳିତ ପ୍ରଦର୍ଶନ କରୁଛି। ବ୍ୟାଟିଂରେ କୁଶଳ ମେଣ୍ଡିସ ଦୁଇଟି ମ୍ୟାଚରୁ ୮୦, ଚାରିର୍ଥ ଆଶାଲାଙ୍କା ୪୯ ଓ ଅଧିନାୟକ ଦାସୁନ ଶନକା ୪୫ ଓ ୫୬ରନ କରି ଭଲ ଫର୍ମରେ ରହିଛନ୍ତି। ବୋଲିଂରେ ଚାମିକା କରୁଣାରତ୍ନେ ଓ ୱାହିନ୍ଦୁ ହାସରଙ୍ଗା ଭଲ ପ୍ରଦର୍ଶନ କରୁଛନ୍ତି। ଉଭୟେ ଦୁଇଟି ମ୍ୟାଚରେ ୱିକେଟ ନେବା ସହିତ ରନ ରୋକିବାରେ ମଧ୍ୟ ସଫଳ ହୋଇଛନ୍ତି। ଧନଞ୍ଜୟ ଡିସିଲଭା ଓ ମହେଶ ତୀକ୍ଷଣ ମଧ୍ୟ ଉପଯୋଗୀ ସାବ୍ୟସ୍ତ ହେଉଛନ୍ତି।

Related posts

ଯୁବକଙ୍କର ଆତ୍ମହତ୍ୟା ଉଦ୍ୟମ

Odisha Halchal

ଗର୍ଭବତୀ ପତ୍ନୀଙ୍କୁ ହତ୍ୟା ମାମଲା ପୂର୍ବତନ ବିଧାୟକ ଦୋଷୀ ସାବ୍ୟସ୍ତ

Odisha Halchal

ଦୁଇ ଦଫା ଦାବି ନେଇ ଶ୍ରମିକ ଙ୍କ ଅନିର୍ଦ୍ଦିଷ୍ଟ କାଳ ପାଇଁ କାର୍ଯ୍ୟବନ୍ଦ

Odisha Halchal

Leave a Comment