ନବରଙ୍ଗପୁର :-(ରିପୋର୍ଟ :-ପ୍ରଶାନ୍ତ କୁମାର ସାହୁ )ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ର ବିକାଶ ପାଇଁ ହେଉଛି ଅନେକ ଯୋଜନା ଆଉ ସ୍ବଦେଶୀ ହେବାପାଇଁ ନିଆ ଯାଉଛି ଶପଥ l ହେଲେ ଏଠାକାର ଚିତ୍ର କୁ ଦେଖିଲେ ଫେଲ ମାରୁଛି “ଆତ୍ମନିର୍ଭରଶୀଳ ଭାରତ” ଆଉ ଅଟହାସ୍ୟ କରୁଛି ‘ଭୋକାଲ ଫୋର ଲୋକାଲ” ର ସ୍ଲୋଗାନ l ଆଦିବାସୀ ଅଧ୍ୟୁଷିତ ଜିଲ୍ଲା ରେ ବୁଣା ଯାଉଛି ରଙ୍ଗ ବେରଙ୍ଗ ର ଶାଢ଼ୀ ଯାହାର କଳାକୃତି ବେଶ ସୁନ୍ଦର , ହେଲେ ବିଡମ୍ବନା ର ବିଷୟ ଯେ ପ୍ରଶାସନ ର ଦୃଷ୍ଟି ଆଢୁଆଳ ରେ ରହି ଯାଇଛି ଏହି ବେଉସା ଯାହାଫଳରେ ଅନେକ ଆଜି ନିଜ କୌଳିକ ବୃତ୍ତି ରୁ ସନ୍ୟାସ ନେବାକୁ ବସିଲେଣି l ଆସନ୍ତୁ ଦେଖୂବା ଗ୍ରାଉଣ୍ଡ ଜିରୋ ରୁ ଏହି ରିପୋର୍ଟ…..
ନବରଙ୍ଗପୁର ଜିଲ୍ଲା ସଦର ବ୍ଲକ ର ଏକ ଛୋଟିଆ ଗାଁ ଯାହାର ନା ହେଉଛି “ସାନ ମସିଗାଁ ” l ଗାଁ ରେ ରୁହନ୍ତି ପ୍ରାୟ 60 ରୁ ଉର୍ଦ୍ଧ ତନ୍ତ ପରିବାର l ବାପା, ଅଜା କାଳ ରୁ ସେମାନଙ୍କ ବେଉସା ହେଉଛି ଲୁଗା ବୁଣିବା l ହେଲେ ଯେଉଁ ବେଉସା ଦିନେ ସେମାନଙ୍କ ପରିଚୟ ସୃଷ୍ଟି କରିଥିଲା ଆଜି ସେଇ ବେଉସା ସେମାନଙ୍କ ପାଇଁ ବେସାହାରା ପାଲଟିଯାଇଛି l କିଛି ପରିବାର ନିକଟସ୍ଥ କୋରାପୁଟ ଜିଲ୍ଲାର କୋଟପାଡ଼ ଠାରେ ଥିବା କିଛି ବୁଣାକାର ଙ୍କ ଠାରୁ କଞ୍ଚାମାଲ ଆଣି ମଜୁରୀ ହିସାବ ରେ ଲୁଗା ବୁଣି ସେମାନଙ୍କୁ ହିଁ ଦେଇ ଦେଉଛନ୍ତି ତ ଆଉ କିଛି ପରିବାର ପଡୋଶୀ ରାଜ୍ୟ ର ଜଗଦଳପୁର ସହର ରୁ ସୁତା ଆଣି ଜିନିଷ ପ୍ରସ୍ତୁତ କରି ପୁଣି ସେଇ ବଜାର ରେ ଯାଇ ବିକ୍ରି କରୁଛନ୍ତି l
ପ୍ରଥମେ ସୁତା ଆଣି ସୁତା କୁ ଭାତ ଗାଳିବା ପେଜ ରେ ବୁଡାଇ ରଖନ୍ତି ପରେ ଅରଟ ସାହାଯ୍ୟ ରେ ସୁତା କୁ ବୋବିନ କରନ୍ତି, ସେଇ ସୁତା କୁ ନେଇ ଟାଣି ଡ୍ରମ ରେ ଆବଶ୍ୟକ ଅନୁସାରେ ସୁତା ଟାଣନ୍ତି ଯେପରିକି କପଡା କେତେ ମିଟର ପ୍ରସ୍ତୁତ କରିବେ ତାହାର ଲମ୍ବା ଓସାର କେତେ ରହିବ ଏହି ଅନୁସାରେ ସୁତା ଟାଣିବା ପରେ ଘରକୁ ଆଣି ତନ୍ତ ପାନିଆ ରେ ଜଏଣ୍ଟ କରନ୍ତି ଏବଂ ଗ୍ରାହକ ଙ୍କ ମନ ପସନ୍ଦ ଅନୁସାରେ ଡିଜାଇନ ପ୍ରସ୍ତୁତ କରି ଲୁଗା ବୁଣିଥାନ୍ତି l କପଡା ରେ ନିଜେ ପ୍ରସ୍ତୁତ କରିଥିବା ପ୍ରାକୃତିକ ରଙ୍ଗ ହିଁ ବ୍ୟବହାର କରନ୍ତି l ରଙ୍ଗ ପାଇଁ ଆଲ ଗଛର ଚେର କୁ ଆଣି ଶୁଖାଇ ଗୁଣ୍ଡ କରନ୍ତି ପରେ ଧଳା ସୁତା କୁ ପାଣି ରେ ଧୋଇ ସେଇ ଗୁଣ୍ଡ ସହ ଗୋବର ତେଲ ମିଶାଇ ଲାଲ ଓ କଳା ରଙ୍ଗ ର ସୁତା ପ୍ରସ୍ତୁତ କରିଥାନ୍ତି l
ଏଠାକାର ମାଡିଆ ଧୋତି ଛତିଶଗଡ଼ ଆଦିବାସୀ ଙ୍କ ପ୍ରଥମ ପସନ୍ଦ ହୋଇଥିବା ବେଳେ ଏଠାରେ ବୁଣା ଯାଇଥିବା ଶାଢ଼ୀ, ଚୁନି, ଓଢଣୀ ର ଚାହିଦା ବେଶ ଅଧିକ l ଏହି ପ୍ରଶାସନ ତନ୍ତ ଯୋଗାଇ ଦେଇଛି ସତ କିନ୍ତୁ କଞ୍ଚାମାଲ ଯୋଗାଇ ପାରୁନାହିଁ ଯଦ୍ୱାରା ନାହିଁ ନଥିବା ଅସୁବିଧା ର ସମ୍ମୁଖୀନ ହେଉଛନ୍ତି ବୁଣାକାର ମାନେ l ଜିଲ୍ଲା ରେ ଯାନୀ ଯାତ୍ରା ରେ ଷ୍ଟଲ ଲାଗିଲେ ବାହାର ଜିଲ୍ଲା ର ବୁଣାକାର ମାନଙ୍କୁ ପ୍ରାଧାନ୍ୟ ଦେଇ ସ୍ଥାନୀୟ ବୁଣାକାର ଙ୍କୁ ଅଣଦେଖା କରୁଛି ଜିଲ୍ଲା ପ୍ରଶାସନ ବୋଲି ସାଙ୍ଘାତିକ ଅଭିଯୋଗ ମଧ୍ୟ କରୁଛନ୍ତି ଏହି ତନ୍ତ କାରିଗର l
ତେଣୁ କଞ୍ଚାମାଲ ସୁଲଭ ମୂଲ୍ୟ ରେ ଯୋଗାଇ ଦେଲେ ଆଉରି ଅନେକ ଡିଜାଇନ ପ୍ରସ୍ତୁତ କରିପାରନ୍ତେ ଏବଂ ବିକ୍ରି ପାଇଁ ବଜାର ବ୍ୟବସ୍ଥା ହୋଇପାରିଲେ ବେଶ ଦୁଇ ପଇସା ଲାଭ ପାଇ ପାରନ୍ତେ ବୋଲି ନିବେଦନ କରୁଛନ୍ତି ପ୍ରଶାସନ ପାଖରେ l ଯଦି ପ୍ରକୃତ ରେ ପ୍ରଶାସନ ଦ୍ୱାରା ଏତିକି ସାହାଯ୍ୟ ମିଳି ପାରନ୍ତା ତାହେଲେ ନିଜ କୌଳିକ ବୃତ୍ତି କୁ ବଞ୍ଚାଇ ରଖି ପାରନ୍ତେ ଏହି କୁଶଳୀ କାରିଗର ମାନେ l ଏନେଇ ଜିଲ୍ଲା ଓରମାସ ଅଧିକାରୀ ଙ୍କୁ ଆମେ ଯୋଗାଯୋଗ କରିଥିଲୁ ସେ ପ୍ରତିକ୍ରିୟା ରେ କହିଛନ୍ତି କି ସେମାନଙ୍କ ବିକ୍ରି ବଟା ପାଇଁ ବଜାର ବ୍ୟବସ୍ଥା କରିବା ସହ କଞ୍ଚାମାଲ ଯୋଗାଇ ଦେବାର ସମସ୍ତ ପ୍ରୟାସ ଜିଲ୍ଲା ପ୍ରଶାସନ ଦ୍ୱାରା କରାଯିବ l