ବୌଦ୍ଧ:- (ରିପୋର୍ଟ :-ଆଶିଷ ବିହାରୀ ଠାକୁର)ବିଶ୍ଵକପ୍ ହକି ଉପଲକ୍ଷେ ପ୍ରତ୍ୟେକ ଗ୍ରାମାଞ୍ଚଳରୁ କ୍ରୀଡ଼ାବିତ୍ ମାନଙ୍କୁ ଉତ୍ସାହିତ କରିବା ପାଇଁ ବୌଦ୍ଧ ଜିଲ୍ଲାରେ କ୍ରୀଡ଼ା ପ୍ରତିଯୋଗିତା ମାନ ଅନୁଷ୍ଠିତ ହୋଇଥିଲା । ବୌଦ୍ଧ ବ୍ଲକ ବାଉଁଶୁଣି ହାଇସ୍କୁଲ ଖେଳ ପଡ଼ିଆରେ ବ୍ଲକ ପ୍ରଶାସନ ପକ୍ଷରୁ ଗତ ୪ ତାରିଖରୁ ଆରମ୍ଭ ହୋଇ ୭ ଦିନ ଧରି ଚାଲୁଥିବା ବ୍ଲକ ସ୍ତରୀୟ କ୍ରୀଡାପ୍ରତିଯୋଗିତା ସହ ସାଂସ୍କୃତିକ କାର୍ଯ୍ୟକ୍ରମ ଉଦଯାପିତ ହୋଇଯାଇଛି । ଏହି ପ୍ରତିଯୋଗିତା ଟି ବୌଦ୍ଧ ବିଡିଓ ଅଭିନାଶ ପାଣ୍ଡିଆଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆରମ୍ଭ ହୋଇଥିଲା ।
ସାଂସ୍କୃତିକ କାର୍ଯ୍ୟକ୍ରମର ଦ୍ବିତୀୟ ଦିନରେ ମାନ୍ୟବର ମନ୍ତ୍ରୀ ପ୍ରଦୀପ କୁମାର ଅମାତ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ ସମ୍ମାନୀତ ଅତିଥି ବୌଦ୍ଧ ବ୍ଲକ୍ ଅଧ୍ୟକ୍ଷ ପ୍ରିୟଦର୍ଶୀ ପ୍ରତ୍ୟୁଷ ରଥ, ୪ ଜୋନ୍ ଜିଲ୍ଲା ପରିଷଦ ଇଂ ରାକେଶ କୁମାର ତ୍ରିପାଠୀ ଙ୍କ ସହ ବୌଦ୍ଧ ବ୍ଲକ ର ସମସ୍ତ ସରପଞ୍ଚ ଉପସ୍ଥିତ ଥିଲେ । କ୍ରୀଡ଼ା ପ୍ରତିଯୋଗିତାର ଫାଇନାଲ ମ୍ୟାଚ୍ ରେ କବାଡି ଖେଳରେ ମୃଶୁଣ୍ଡି ଓ ରକ୍ସା ଦଳ ମଧ୍ୟରୁ ରକ୍ସା ଦଳ ବିଜୟୀ ହୋଇଥିବା ବେଳେ ଭୋଲିବଲ ରେ ଶଗଡା ଓ ତେଲିବନ୍ଧ ମଧ୍ୟରୁ ଶଗଡା ଦଳ ବିଜୟୀ ହୋଇଥିଲେ ଏବଂ ଫୁଟବଲ୍ ରେ ମନୁପାଲି ଓ ଖୁଣ୍ଟବନ୍ଧ ମଧ୍ୟରୁ ମନୁପାଲି ଦଳ ୨ଟି ଗୋଲ୍ ଦେଇ ବିଜୟୀ ହୋଇଥିଲେ ।
ସେହିଭଳି ଅନ୍ତିମ ଦିନର ସନ୍ଧ୍ୟାର ସାଂସ୍କୃତିକ କାର୍ଯ୍ୟକ୍ରମରେ ଦୁଲୁକିଥିଲା ମଞ୍ଚ । ଗେହ୍ଲାମା କଳା ନିକେତନ, ପ୍ରଣାମ ଅନୁଷ୍ଠାନ ବୌଦ୍ଧ ସମେତ ପଞ୍ଚିମ ଓଡ଼ିଶାର ସୁନାମ ଧନ୍ୟ କଣ୍ଠଶିଳ୍ପୀ ମାନଙ୍କ ଦ୍ଵାରା ମେଲୋଡି କାର୍ଯ୍ୟକ୍ରମ ଓ ଅଞ୍ଚଳର ଦଣ୍ଡ କଳାକାର ମାନଙ୍କ ଦ୍ଵାରା ପତରସଉରା ନୃତ୍ୟ ମାନ ଅନୁଷ୍ଠିତ ହୋଇଥିଲା ଏହି ଖେଳ ଓ ସାଂସ୍କୃତିକ କାର୍ଯ୍ୟକ୍ରମକୁ ଉପଭୋଗ କରିବା ପାଇଁ ହଜାର ହଜାର ଦର୍ଶକଙ୍କ ସମାଗମ ଦେଖିବାକୁ ମିଳିଥିଲା