ଓଡ଼ିଶା ଖବରନ୍ୟୁଜ୍

ସମ୍ ହସ୍ପିଟାଲରେ ସଫଳ ହେଲା ୬ ମାସ ଶିଶୁର ଜଟିଳ ହୃଦରୋଗ ଅସ୍ତ୍ରୋପଚାର

ସମ୍ ହସ୍ପିଟାଲରେ ସଫଳ ହେଲା ୬ ମାସ ଶିଶୁର ଜଟିଳ ହୃଦରୋଗ ଅସ୍ତ୍ରୋପଚାର

ସମ୍ ହସ୍ପିଟାଲ୍‌ରେ ମାତ୍ର ୬ ମାସ ଶିଶୁର ଶରୀରରେ ଥିବା ଜଟିଳ ହୃଦ୍ ରୋଗ ସମସ୍ୟାର ସଫଳ ଅସ୍ତ୍ରୋପଚାର ସମ୍ଭବ ହୋଇ ପାରିଛି । ନୟାଗଡ଼ ଜିଲ୍ଲା ଦଶପଲ୍ଲା ଅଞ୍ଚଳର ସୁବାଷ ଚନ୍ଦ୍ର ବେହେରାଙ୍କ ୬ ମାସର ଶିଶୁ ପୁତ୍ର ହୃଦ୍ ପଲ୍‌ମୁନାରୀ ଭାଲ୍‌ଭ ଷ୍ଟେନୋସିସ୍ ରୋଗରେ ପୀଡ଼ିତ ଥିବା ବେଳେ ଅସ୍ତ୍ରୋପଚାର ଜରିଆରେ ତାକୁ ସମ୍ପୂର୍ଣ୍ଣ ସୁସ୍ଥ କରିଛନ୍ତି ଆଇଏମ୍‌ଏସ୍ ଏବଂ ସମ୍ ହସ୍ପିଟାଲ୍ ଓ ସମ୍ ଅଲ୍ଟିମେଟ୍ ମେଡିକେୟାରର ଡାକ୍ତରୀ ଦଳ ।

ଏହି ଶିଶୁର ଜନ୍ମଗତ ହୃଦଜନିତ ତୃଟି ଥିବା ବେଳେ ସେ ନିଶ୍ୱାସ ପ୍ରଶ୍ୱାସ ନେବାରେ କଷ୍ଟ ଅନୁଭବ କରୁଥିଲା । ଏହା ସହ ସେ ଖାଦ୍ୟ ମଧ୍ୟ ଠିକ୍ ଭାବରେ ଖାଇ ପାରୁ ନଥିଲା। ଚିକିତ୍ସା ପାଇଁ ଶିଶୁର ବାପାମା ବିଭିନ୍ନ ଡାକ୍ତରଖାନାରୁ ବିଫଳ ହେବା ପରେ ଶେଷରେ ସେ ଆଇଏମ୍‌ଏସ୍ ଏବଂ ସମ୍ ହସ୍ପିଟାଲ୍‌ର ହୃଦ୍‌ରୋଗ ବିଭାଗରେ ଶିଶୁଟିକୁ ଭର୍ତି କରିଥିଲେ। ହସ୍ପିଟାଲ୍‌ର ହୃଦରୋଗ ବିଶେଷଜ୍ଞ ଆସୋସିଏଟ୍ ପ୍ରଫେସର ଡାକ୍ତର ସୌମ୍ୟ ରଞ୍ଜନ ମହାପାତ୍ରଙ୍କ ତତ୍ୱାବଧାନରେ ଶିଶୁ ପୁତ୍ରର ଚିକିତ୍ସା ଆରମ୍ଭ କରା ଯାଇଥିଲା। ବିଭିନ୍ନ ପରୀକ୍ଷାରୁ ଶିଶୁର ହାର୍ଟରେ ପଲମୁନାରୀ ଭାଲବ୍ ଷ୍ଟେନୋସିସ୍ ଭଳି ଜଟିଳ ସମସ୍ୟା ରହିଥିବା ଜଣାପଡ଼ିଥିଲା । ହାର୍ଟର ଭାଲ୍‌ବରେ ଥିବା ତୃଟି ଯୋଗୁଁ ଫୁସଫୁସ୍‌କୁ ଠିକ୍ ଭାବରେ ଉପଯୁକ୍ତ ପରିମାଣର ରକ୍ତ ସଞ୍ଚାଳନ ହୋଇପାରୁ ନଥିଲା ।

ଡାକ୍ତରଙ୍କ ପାଇଁ ମାତ୍ର ୬ ମାସ ଶିଶୁର ଏହି ହୃଦ-ଅସ୍ତ୍ରୋପଚାର ଖୁବ୍ ଜଟିଳ ଥିଲା। ଏହାସହ ଅସ୍ତ୍ରୋପଚାର ଦ୍ୱାରା ଶିଶୁର ଜୀବନ ପ୍ରତି ମଧ୍ୟ ବିପଦ ରହିଥିଲା। ତେବେ ଏହି ଅସ୍ତ୍ରୋପଚାର ପାଇଁ ସମ୍ ହସ୍ପିଟାଲ୍ ଏବଂ ସମ୍ ଅଲ୍ଟିମେଟ୍ ମେଡିକେୟାରର ବିଶେଷଜ୍ଞ ଡାକ୍ତରମାନଙ୍କୁ ନେଇ ଏକ ଚାରିଜଣିଆ ଡାକ୍ତରୀ ଦଳ ଗଠନ କରାଯାଇଥିଲା । ଏହି ଦଳରେ ସମ୍ ଅଲ୍ଟିମେଟ୍ ମେଡିକେୟାରର ହୃଦ୍‌ରୋଗ ବିଭାଗର ମୁଖ୍ୟ ତଥା ସିନିୟର୍ କନ୍‌ସଲ୍‌ଟାଣ୍ଟ ଡାକ୍ତର ଶରତ କୁମାର ସାହୁ, ଆଇଏମ୍‌ଏସ୍ ଏବଂ ସମ୍ ହସ୍ପିଟାଲ୍‌ର ଆସୋସିଏଟ୍ ପ୍ରଫେସର ଡାକ୍ତର ସୌମ୍ୟ ରଞ୍ଜନ ମହାପାତ୍ର, ଆସୋସିଏଟ୍ ପ୍ରଫେସର ଡାକ୍ତର ମାନଭଞ୍ଜନ ଜେନା ଏବଂ ଆନେସ୍ଥେସିଓଲୋଜି ବିଭାଗର ପ୍ରଫେସର ଡାକ୍ତର ରଞ୍ଜିତା ଆଚାର୍ଯ୍ୟ ପ୍ରମୁଖ ସାମିଲ ହୋଇ ବେଲୁନ୍ ପଲ୍‌ମୁନାରୀ ଭାଲ୍‌ଭୋଟାମି ପ୍ରକ୍ରିୟାରେ ଶିଶୁଟିର ସଫଳ ଅସ୍ତ୍ରୋପଚାର କରିଥିଲେ ।

ଅସ୍ତ୍ରୋପଚାର ପରେ ଶିଶୁଟି ପୁରା ସୁସ୍ଥ ହୋଇ ଘରକୁ ଫେରିଛି । ସୂଚନାଥାଉକି, ସମ୍ ହସ୍ପିଟାଲ୍‌ରେ ଶିଶୁମାନଙ୍କ କ୍ଷେତ୍ରରେ ଜନ୍ମଗତ ଏବଂ ପରବର୍ତି ସମୟରେ ଦେଖା ଯାଉଥିବା ହୃଦଜନିତ ତୃଟିର ସମସ୍ତ ପ୍ରକାର ସଫଳ ଚିକିତ୍ସା ଓ ଅସ୍ତ୍ରୋପଚାର କରାଯିବା ସହ ଶିଶୁମାନେ ସୁସ୍ଥ ହୋଇ ଘରକୁ ଫେରୁଛନ୍ତି। ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଆଧାରରେ ଏହି ଅସ୍ତ୍ରୋପଚାର କରାଯାଇଥିବା ସୂଚନା ମିଳିଛି ।

Related posts

ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ମଟରସାଇକେଲ ଚାଳକଙ୍କର ମୃତ୍ୟୁ

Odisha Halchal

ଭାଇ ହେଲା ଭଗାରୀ, ସାନ ଭାଇକୁ ହତ୍ୟା କଲେ ୩ ବଡ ଭାଇ

Odisha Halchal

OREDAରେ ନିଯୁକ୍ତି ସୁଯୋଗ, ଦରମା ୪୪ ହଜାରରୁ ଅଧିକ

Odisha Halchal

Leave a Comment