ଅପରାଧଓଡ଼ିଶା ଖବରନ୍ୟୁଜ୍

ଲୁଟ କରୁଛନ୍ତି ପ୍ରଧାନମନ୍ତ୍ରୀ ମୁଦ୍ରା ଯୋଜନାର ଅଫିସର! ଦମ୍ପତ୍ତିଙ୍କୁ ଗିରଫ କଲା ପୋଲିସ

ଲୁଟ କରୁଛନ୍ତି ପ୍ରଧାନମନ୍ତ୍ରୀ ମୁଦ୍ରା ଯୋଜନାର ଅଫିସର! ଦମ୍ପତ୍ତିଙ୍କୁ ଗିରଫ କଲା ପୋଲିସ

ପ୍ରଧାନମନ୍ତ୍ରୀ ମୁଦ୍ରା ଯୋଜନାର ଫିଲ୍ଡ ଅଫିସରଙ୍କ ପର୍ଦ୍ଦାଫାଶ କରିଛି ଝାରସୁଗୁଡା ପୋଲିସ । ମୁଦ୍ରା ଯୋଜନାରେ ବିଭିନ୍ନ ବ୍ୟାଙ୍କରୁ ଋଣ କରାଇଦେବା ବାହାନାରେ ଲୁଟ କରିବାରେ ଏମାନେ ମାହିରଥୀ ହାସଲ କରିଥିଲେ । ଜଣେ କି ଦୁଇ ଜଣ ନୁହେଁ ଶହେ ଜଣ ମହିଳାଙ୍କୁ ନିଜ ଜାଲରେ ଫସାଇ ଠକି ନେଇଥିଲେ ଏହି ସୁପର ଲୁଟେରା । କିନ୍ତୁ ଚୋର ଘର ସବୁବେଳେ ଅନ୍ଧାର ନଥାଏ । ସବୁ କଳା କାରନାମାରୁ ଉଠିସାରିଛି ପରଦା । ଏବେ ଉଭୟ ଦମ୍ପତ୍ତିଙ୍କୁ ଗିରଫ କରିଛି ଝାରସୁଗୁଡା ପୋଲିସ ।

ସୂଚନା ଅନୁସାରେ, ଝାରସୁଗୁଡା କୁଚିଣ୍ଡାର ଭୀମରାଜ ସୋନୀ ଏବଂ ପତ୍ନୀ ସୁଜାତାଙ୍କୁ ପୋଲିସ ଗିରଫ କରିଛି । ଏମାନଙ୍କ ନାଁରେ ଥିବା ଅଭିଯୋଗ ଖୁବ ସାଙ୍ଘାତିକ ରହିଛି । ୧୦୦ ରୁ ଅଧିକ ଜଣ ମହିଳାଙ୍କୁ ଠକି ସେମାନଙ୍କୁ ଲୁଟ କରିଥିବା ନେଇ ଏମାନଙ୍କ ନାଁରେ ଏତଲା ରହିଛି । ଏମାନେ ନିଜକୁ ପ୍ରଧାନମନ୍ତ୍ରୀ ମୁଦ୍ରା ଯୋଜନାର ଫିଲ୍ଡ ଅଫିସର ବୋଲି ପରିଚୟ ଦେଇଥିଲେ । ଫଳରେ କୋଲାବିରା ଓ ଲାଇବେରା ଅଞ୍ଚଳର ଗାଁ ଗାଁ ବୁଲି ଲକ୍ଷ ଲକ୍ଷ ଟଙ୍କା ଚଳୁ କରି ଦେଇଛନ୍ତି । ବିଭିନ୍ନ ଗ୍ରାମର ସ୍ୱୟଂ ସହାୟିକା ଗୋଷ୍ଠୀର ମହିଳା ମାନଙ୍କୁ ୧% ସୁଧ ହାରରେ ଲୋନ୍ ଦିଆଯିବ କହି ଲୁଟି ନେଇଥିଲେ ୨ ଲକ୍ଷରୁ ଅଧିକ ଟଙ୍କା ।

କିନ୍ତୁ ପରେ ଏ ଘଟଣାର ପର୍ଦ୍ଦାଫାଶ କରିଛି ପୋଲିସ । ଏହି ୨ ଦମ୍ପତ୍ତି ଅସଲି ଅଫିସର ନୁହେଁ । ବରଂ ବହୁରୂପୀ ବୋଲି ଜାଣିବାକୁ ମିଳିଛି । ନିଜର ନକଲି ପରିଚୟପତ୍ର ତିଆରି କରି ଏହି ୨ ଗାଁରେ ଲୁଟ୍ କରିବାର ଜାଲ ବିଛାଇଥିଲେ ଏହି ଲୁଟେରା କପଲ୍ । ଏ କଥା ସେତେବେଳେ ପଦାକୁ ଆସିଥିଲା ଯେତେବେଳେ ୮୦ହଜାର ଲୋନ ନେବା ପାଇଁ ୩୧ ଶହ ଟଙ୍କା ଏବଂ ୪୦ ହଜାର ଲୋନ ନେବା ପାଇଁ ୧୫୫୦ ଟଙ୍କା ଏହି ମହିଳାମାନଙ୍କ ଠାରୁ ଫୋନ-ପେ, ଗୁଗୁଲ-ପେ ତଥା ବ୍ୟାଙ୍କ ଆକାଉଣ୍ଟ ଇତ୍ୟାଦିରେ ନେଇ ଯାଇଥିଲେ । କିନ୍ତୁ ଏହାପରେ ନା ସେମାନଙ୍କ ଫୋନ ଉଠାଇଥିଲେ ନା ତାଙ୍କ ସହ କିଛି ଯୋଗାଯୋଗ କରିଥିଲେ । ତେଣୁ ଏହାକୁ ନେଇ ଲଇକେରା ଏବଂ କୋଲାବିରା ଥାନାରେ ସେମାନଙ୍କ ବିରୋଧରେ ଅଭିଯୋଗ କରିଥିଲେ ଲୁଟର ଶିକାର ହୋଇଥିବା ମହିଳା ।

ଅଭିଯୋଗକୁ ଭିତ୍ତି କରି ପୋଲିସ ତର୍ଜମା ଆରମ୍ଭ କରିଥିଲା । ପୋଲିସ ଏନେଇ ଏକ ମାମଲା ରୁଜୁ କରି ତଦନ୍ତ କରିବା ସହ ଝାରସୁଗୁଡାର ବଢେଇମୁଣ୍ଡା ନିକଟରୁ ଏମାନଙ୍କୁ ଦମ୍ପତ୍ତିଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି । ଏହାସହ ଗିରଫ ୨ ଅଭିଯୁକ୍ତଙ୍କ ପାଖରୁ ୨ ଟି ମୋବାଇଲ ଫୋନ, ନକଲି ପରିଚୟ ପତ୍ର ଏବଂ ସେମାନଙ୍କ ନାମରେ ଥିବା ବ୍ୟାଙ୍କ ଆକାଉଣ୍ଟକୁ ପୋଲିସ ଜବତ କରିଛି । ଏ ନେଇ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ରାହୁଲ ଜୈନ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ।

Related posts

ପୁଣି ଯୌତୁକ ନିର୍ଯାତନା

Odisha Halchal

ସ୍କୁଲ ପିଲାଙ୍କୁ ମିଳୁଛି ପ୍ଲାଷ୍ଟିକ ଚାଉଳ

Odisha Halchal

୧୭ବର୍ଷ ପରେ ପରିବାରକୁ ମିଳିଲା ନ୍ୟାୟ

Odisha Halchal

Leave a Comment