ଓଡ଼ିଶା ଖବରନ୍ୟୁଜ୍

ଅଧ୍ୟାପକଙ୍କ ଆନ୍ଦୋଳନକୁ ନଜରରେ ରଖି ସରକାରଙ୍କ ବିକଳ୍ପ

ଅଧ୍ୟାପକଙ୍କ ଆନ୍ଦୋଳନକୁ ନଜରରେ ରଖି ସରକାରଙ୍କ ବିକଳ୍ପ

ଭୁବନେଶ୍ବର(ବ୍ୟୁରୋ ଓଡିଶା ହାଲଚାଲ ):- ଅଧ୍ୟାପକଙ୍କ ଆନ୍ଦୋଳନକୁ ନଜରରେ ରଖି ରାଜ୍ୟ ସରକାରଙ୍କ ବିକଳ୍ପ କିଛି ଘଣ୍ଟା ପରେ ଯୁକ୍ତ ଦୁଇ ପରୀକ୍ଷା। ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ସୋମବାର ସଂଧ୍ୟା ସୁଦ୍ଧା ୨୦୨ଟି ହବ୍‌ରେ ପ୍ରଶ୍ନପତ୍ର ସମେତ ଅନ୍ୟାନ୍ୟ ଜରୁରୀ କାଗଜପତ୍ର ପହଞ୍ଚିବ। କିନ୍ତୁ ୬୬୨ ବର୍ଗ କଲେଜ ଅଧ୍ୟାପକଙ୍କ ଆନ୍ଦୋଳନ ଏବେ ସମସ୍ୟା ସୃଷ୍ଟି କଲାଣି। ପାଖାପାଖି ୫ ହଜାର ଅଧ୍ୟାପକ ଯୁକ୍ତ୨ ପରୀକ୍ଷାରେ ଅସହଯୋଗ କରିବାକୁ ନିଷ୍ପତ୍ତି ‌ନେଇଥିବାରୁ ରାଜ୍ୟ ସରକାରଙ୍କ ଚିନ୍ତାରେ ପଡ଼ିଛନ୍ତି। ଦାବି ପୂରଣ ପ୍ରତିଶ୍ରୁ୍ତି ଦେଇ ଅଧ୍ୟାପକମାନଙ୍କୁ କଲେଜକୁ ଫେରାଇବେ ନା ବିକଳ୍ପ ବ୍ୟବସ୍ଥା ଆପଣାଇବେ, ସେ ନେଇ ଦିନ ତମାମ ଘନଘନ ବୈଠକ ଅନୁଷ୍ଠିତ ହୋଇଛି।

ହାତରେ କମ୍‌ ସମୟ ଥିବାରୁ ରାଜ୍ୟ ସରକାର ଉଭୟ ପନ୍ଥା ଆପଣାଇବାକୁ ପ୍ରସ୍ତୁତ ହେଉଛନ୍ତି। ପ୍ରଥମତଃ ୧୬ ଦିନର ଆନ୍ଦୋଳନ ପରେ ୬୬୨ ବର୍ଗ କଲେଜ ଅଧ୍ୟାପକ ଓ କର୍ମଚାରୀଙ୍କ ସହ ଆଲୋଚନା କରିବେ। ରାଜ୍ୟ ସରକାର ରାଜି ହୋଇଛନ୍ତି। ମଙ୍ଗଳବାର ପୂର୍ବାହ୍ନ ୧୧ଟାରେ ବିଧାୟକ ପ୍ରଣବ ପ୍ରକାଶ ଦାସଙ୍କ ସହ ସଂଘ ପ୍ରତିନିଧିମାନଙ୍କ ଆଲୋଚନା ହେବାକୁ ସମୟ ଧାର୍ଯ୍ୟ କରାଯାଇଛି। ଏହି ଆଲୋଚନା ସମୟରେ ଅଧ୍ୟାପକମାନଙ୍କ ଦାବିଗୁଡ଼ିକ ବିଷୟରେ ବିଚାରବିମର୍ଶ କରାଯାଇପାରେ। ଦ୍ବିତୀୟତଃ ବିକଳ୍ପ ବ୍ୟବସ୍ଥା ଆପଣାଇବାକୁ ଗଣଶିକ୍ଷା ବିଭାଗ ଇତିମଧ୍ୟରେ ରୂପରେଖ ପ୍ରସ୍ତୁତ କରିଛି। ଯଦି ରାଜ୍ୟ ସରକାରଙ୍କ ସହ ଅଧ୍ୟାପକଙ୍କ ଆଲୋଚନା ବିଫଳ ହୁଏ, ବିକଳ୍ପ ବ୍ୟବସ୍ଥା ସ୍ବରୂପ ନିକଟସ୍ଥ କଲେଜର ଅଣଶିକ୍ଷକ ଓ ହାଇସ୍କୁଲ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ନେଇ ପରୀକ୍ଷା ପରିଚାଳନା କରାଯିବ।

ବିଭାଗର ଜଣେ ଅଧିକାରୀ କହିଛନ୍ତି ଯେ ବିନା ଦ୍ବନ୍ଦ୍ବରେ ଛାତ୍ରଛାତ୍ରୀ ପରୀକ୍ଷା ଲାଗି ପ୍ରସ୍ତୁତ ହୁଅନ୍ତୁ। କୌଣସି ବି ପରିସ୍ଥିତିରେ ପରୀକ୍ଷା ପରିଚାଳନାରେ ସମସ୍ୟା ହେବନାହିଁ। ପରୀକ୍ଷା ଲାଗି ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ଧାର୍ଯ୍ୟ ସମୟରେ ହିଁ ନିର୍ଦ୍ଧା‌ରିତ କେନ୍ଦ୍ରରେ ପରୀକ୍ଷା କରାଯିବ। କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ବିଭାଗର ରେଗୁଲାର୍‌ ଓ ଏକ୍ସ-ରେଗୁଲାର୍‌ରେ ୩ ଲକ୍ଷ ୫୭ ହଜାର ୯୪୨ ଛାତ୍ରଛାତ୍ରୀ ପରୀକ୍ଷା ଦେବା ଲାଗି ଫର୍ମ ପୂରଣ କରିଛନ୍ତି। ୧୧୪୫ ପରୀକ୍ଷା କେନ୍ଦ୍ର ହୋଇଛି। ଇତିମଧ୍ୟରେ ପ୍ରଥମ ୯ ଦିନର ପ୍ରଶ୍ନପତ୍ରଗୁଡ଼ିକୁ ହବ୍‌କୁ ପଠା ଯାଇସାରିଛି। ଯଦି ୬୬୨ ବର୍ଗ କଲେଜର ଅଧ୍ୟାପକମାନେ ପରୀକ୍ଷା ପରିଚାଳନାରେ ଅସହଯୋଗ କରିବେ, ଆମେ ନିକଟସ୍ଥ ସରକାରୀ ଓ ଅନ୍ୟାନ୍ୟ ବେସରକାରୀ କଲେଜ ଅଧ୍ୟାପକଙ୍କୁ ସାମିଲ କରିବୁ। କଲେଜର ଅଣଶିକ୍ଷକ ଯଥା କ୍ଲର୍କ, ଲାଇବ୍ରେରିଆନ୍‌, ପିଇଟିଙ୍କୁ ମଧ୍ୟ ସାମିଲ କରାଯିବ। ଆବଶ୍ୟକ ପଡ଼ିଲେ, ନିକଟସ୍ଥ ହାଇସ୍କୁଲର ଶିକ୍ଷକଙ୍କୁ ପରୀକ୍ଷା ପରିଚାଳନା କାର୍ଯ୍ୟରେ ସାମିଲ କରାଯାଇପାରେ। ମଙ୍ଗଳବାର ହେବାକୁ ଥିବା ଆଲୋଚନା ଉପରେ ନଜର ରହିଛି। ଆଲୋଚନା ବିଫଳ ହେଲେ, ବିକଳ୍ପ ବ୍ୟବସ୍ଥା ଆପଣାଇବୁ।

ସେପଟେ ୬୬୨ବର୍ଗ ବେସରକାରୀ କଲେଜ ଅଧ୍ୟାପକ ଓ କର୍ମଚାରୀ ସଂଘ ପକ୍ଷରୁ ଆଜି ବିଧାନସଭା ସମ୍ମୁଖରେ ବିଶାଳ ସମାବେଶ କରାଯାଇ ଦାବି ଉପସ୍ଥାପନ କରାଯାଇଛି। ଦାବି ପୂରଣ ନ ହେବା ପର୍ଯ୍ୟନ୍ତ ଆନ୍ଦୋଳନକୁ ଓହରିବୁ ନାହିଁ ବୋଲି ଶିକ୍ଷକ ନେତାମାନେ ଆଜି ପୁଣିଥରେ ସ୍ପଷ୍ଟ କରିଛନ୍ତି। ଅଧ୍ୟାପକଙ୍କ ଆନ୍ଦୋଳନ ନେଇ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ କହିଛନ୍ତି ଯେ ଯୁକ୍ତ୨ ପରୀକ୍ଷା ଲାଗି ସମସ୍ତ ପ୍ରସ୍ତୁତି ସରିଛି। ପରୀକ୍ଷା ପରିଚାଳନା ହବ୍‌ରେ ପ୍ରଶ୍ନପତ୍ର ପହଞ୍ଚିସାରିଛି। ପ୍ରତିଥର ପରି ଏଥର ମଧ୍ୟ ପରୀକ୍ଷା କେନ୍ଦ୍ରରେ ସିସିଟିଭିକୁ ଗୁରୁତ୍ବ ଦିଆଯାଇଛି। ମାତ୍ର କିଛି ଅଧ୍ୟାପକ ବିଭିନ୍ନ ଦାବି ନେଇ ଆନ୍ଦୋଳନକୁ ଓହ୍ଲାଇବା ସହ ପରୀକ୍ଷା ବର୍ଜନ କରିବାକୁ ଚେତାବନୀ ଦେଇଛନ୍ତି। ଏକଥା ଆମ ନଜରକୁ ଆସିଛି। ପିଲାଙ୍କ ସ୍ବାର୍ଥକୁ ନଜରରେ ରଖି ପରୀକ୍ଷାରେ ସାମିଲ ହେବାକୁ ସେମାନଙ୍କୁ ଅନୁରୋଧ କରୁଛୁ। ଆଲୋଚନା ସବୁବେଳେ ଚାଲିଛି।

Related posts

ସଂପୂର୍ଣ୍ଣ ସ୍ବାଭିମାନ ଅଂଚଳକୁ ନିଜ କବଜାକୁ ନେଲେ ବିଏସଏଫ

Odisha Halchal

ମଦ ପାଇଁ ମହାଭାରତ

Odisha Halchal

ମାଓବାଦୀ ଷଡ଼ଯନ୍ତ୍ରକୁ ପଣ୍ଡ କଲେ ଯବାନ

Odisha Halchal

Leave a Comment