ଅପରାଧଓଡ଼ିଶା ଖବରନ୍ୟୁଜ୍

ଦୁର୍ନୀତିରେ ଲିପ୍ତ ଶିକ୍ଷକ !

ଦୁର୍ନୀତିରେ ଲିପ୍ତ ଶିକ୍ଷକ !

ରାୟଗଡା(ବ୍ୟୁରୋ ଓଡିଶା ହାଲଚାଲ):-ରାୟଗଡ଼ା ଜିଲ୍ଲା ଭଳି ଆଦିବାସୀ ବହୁଳ ଜିଲ୍ଲାରେ କିପରି ସରକାରୀ ବାବୁମାନେ ଆଦିବାସୀମାନଙ୍କ ନିରକ୍ଷରତା ଓ ସରଳତାକୁ ଆଧାର କରି ଦୁର୍ନୀତିରେ ଲିପ୍ତ ରହୁଛନ୍ତି ତାହାର ଏକ ଜ୍ବଳନ୍ତ ଉଦାହରଣ ଦେଖିବାକୁ ମିଳିଛି। ସୂଚନା ଅନୁଯାୟୀ କାଶୀପୁର ବ୍ଲକର ଉପର କୋଡ଼ିଗାଁରେ କାର୍ଯ୍ୟରତ ଦୁଇ ଶିକ୍ଷକ ଶିକ୍ଷକତା କରି ମଧ୍ୟ ମାତିଛନ୍ତି ଠିକାଦାରି କାମ କରିବାରେ ପାଠ ପଢେଇବେ କଣ । ଏମାନଙ୍କୁ ସମ୍ପୁର୍ଣ୍ଣ ଭାବେ ସହଯୋଗ କରୁଛନ୍ତି ରାୟଗଡ଼ା ଜିଲ୍ଲା ଗ୍ରାମୀଣ ଜଳଯୋଗାଣ ଓ ପରିମଳ ବିଭାଗର ଯନ୍ତ୍ରୀ ଓ ଅଧିକାରୀମାନେ। ଏହି ଦୁଇ ଶିକ୍ଷକ କୁଆଡେ ଜଣେ ନେତା ଓ ସରଳ ଆଦିବାସୀଙ୍କ ନାମରେ ଠିକାଦାର ଲାଇସେନ୍ସ କରି କୋଟି କୋଟି ଟଙ୍କାର କାର୍ଯ୍ୟାଦେଶ ନେଇ କାର୍ଯ୍ୟ କରୁଥିବା ଜଣାପଡିଛି।

ଜିଲ୍ଲା ଜଳଯୋଗାଣ ଓ ପରିମଳ ବିଭାଗର ଜନୈକ ଅଧିକାରୀ ନିଜ ନାମ ଗୋପନ ରଖି ଏହା ମଧ୍ୟ କହିଛନ୍ତି ଯେ ଉକ୍ତ ଠିକାଦାର ଦୁଇ ଜଣ ହେଲେ ସୁଦର୍ଶନ ସାହୁ ଓ କାଶୀନାଥ ସାହୁ। ଏହି ଦୁଇ ଶିକ୍ଷକ ଉପର କୋଡିଗାଁ ଆଶ୍ରମ ବିଦ୍ୟାଳୟରେ ଶିକ୍ଷକ ଭାବରେ କାର୍ଯ୍ୟ କରୁଥିବା ବେଳେ ଉକ୍ତ ଶିକ୍ଷକ ଦୁଇଜଣ ପାତ୍ର ମାଝୀ ଓ ଲକ୍ଷ୍ମଣ ଖୋସଲା ନାମରେ ଟେଣ୍ଡର ପକାଇ କାର୍ଯ୍ୟ କରୁଛନ୍ତି ବୋଲି ଜଣାପଡିଛି। ବିଗତ ୨ ବର୍ଷ ତଳେ ରାୟଗଡା ଜିଲ୍ଲା ପଦ୍ମପୁର ବ୍ଲକରେ ୧ କୋଟି ୨୦ ଲକ୍ଷ ଟଙ୍କାର ହାଉସ ପାଇପ୍ ଲାଇନ୍ କାର୍ଯ୍ୟ କରିଥିବା ବେଳେ ଉକ୍ତ କାର୍ଯ୍ୟାଦେଶ ପାତ୍ର ମାଝୀ ନାଁ ରେ ଥିବା ନେଇ ଗ୍ରାମୀଣ ପରିମଳ ଜଳଯୋଗାଣ ଅଧିକାରୀ ପ୍ରକାଶ କରିଛନ୍ତି। ବର୍ତ୍ତମାନ ସେହି ଦୁଇ ଶିକ୍ଷକଙ୍କ ଦ୍ଵାରା ଅମଲାଭଟ୍ଟା ଓ ପେଣ୍ଟା ଆଦି ଗାଁ ଗୁଡିକରେ ପ୍ରାୟ ୩ କୋଟି ଟଙ୍କାର ହାଉସ ପାଇପ୍ ଲାଇନ୍ କାର୍ଯ୍ୟ କରୁଥିବା ଜଣାପଡିଛି।

ସେହିପରି ରାୟଗଡା ବ୍ଲକର ଅଲାଭଟ୍ଟା,ଜପାଖାଲ,ଟିକରପଡା,ବଡମନ୍ଦାର,ପାଲେରୁପାଡୁ,କୋମତାଲପେଟା ଭଳି ଗ୍ରାମରେ ମଧ୍ୟ କାମ କରୁଥିବା ଜଣାପଡିଛି।ପ୍ରତ୍ୟେକ ଗ୍ରାମରେ ୩୦ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କାର କାମ ଚାଲିଥିବା ବିଭାଗୀୟ ଅଧିକାରୀଙ୍କ ଠାରୁ ସୂଚନା ମିଳିଛି । ଏହାକୁ ନେଇ କୌଣସି ଅଧିକାରୀ ମୁହଁ ଖୋଲୁନଥିବା ବେଳେ ଜିଲ୍ଲା ଜଳଯୋଗାଣ ଓ ପରିମଳ ବିଭାଗର କୃପା ଉକ୍ତ ଦୁଇ ଶିକ୍ଷକ ଠିକାଦାରଙ୍କ ଉପରେ ଏତେ ମାତ୍ରାରେ ଆଶୀର୍ବାଦ ରହିଛି ଯେ ସେମାନଙ୍କ ବିଷୟରେ କେହି ମୁହଁ ଖୋଳିବାକୁ ପ୍ରସ୍ତୁତ ନୁହନ୍ତି। ଏହା ମଧ୍ୟ ସତ ଯେ କିଛି ରାଜନୈତିକ ବ୍ୟକ୍ତିଙ୍କ ଛତ୍ରଛାୟା ତଳେ ଉକ୍ତ ଦୁଇ ଶିକ୍ଷକ ଥିବା ଯୋଗୁଁ ଏହି ଦୁଇ ଶିକ୍ଷକଙ୍କ ନାମରେ କେହି ପାଟି ଫିଟାଉ ନଥିବା ଦେଖିବାକୁ ମିଳିଛି।

ସ୍କୁଲ ଛାଡି ଏମାନେ ଜଳ ଓ ପରିମଳ ବିଭାଗ କାର୍ଯ୍ୟାଳୟରେ ଡେରା ପକାନ୍ତି। ଏହାକୁ ନେଇ ଜିଲ୍ଲାପାଳଙ୍କ ଦ୍ୱାରା ତଦନ୍ତ କରିବା ସହ ଭିଜିଲାନ୍ସ ତଦନ୍ତ କରିବାକୁ ସ୍ଥାନୀୟ ଜନସାଧାରଣରେ ଦାବି କରିଛନ୍ତି। ଶିକ୍ଷା ବିଭାଗର ଅଧିକାରୀ ମଧ୍ୟ କିଭଳି ଉକ୍ତ ଦୁଇ ଶିକ୍ଷକଙ୍କ ଉପରେ ନଜର ପକାଉ ନାହାଁନ୍ତି ତାହା ମଧ୍ୟ ସନ୍ଦେହ ଘେରରେ ରହିଛି ।ଶିକ୍ଷା ବିଭାଗ ସବୁ ଜାଣି ଚୁପ ରହିଥିବା ଜଣାପଡିଛି। ଦୁଇ ଶିକ୍ଷକ ପ୍ରଭାବଶାଳୀ ହୋଇଥିବାରୁ ତାଂକୁ କେହି ଚ୍ୟାଲେଞ୍ଜ କରିପାରୁନଥିବା କିଛି ଶିକ୍ଷକ ନାମ ଗୋପନ ରଖି କହିଛନ୍ତି। ଏହି ଦୁଇ ଶିକ୍ଷକ ଠିକାଦାରିରେ ମାତିଥିବାବେଳେ ପାଠ ପଢାଉଛନ୍ତି କେତେବେଳେ ବୋଲି ସାଧାରଣରେ ପ୍ରଶ୍ନ କରାଯାଇଛି।

ଶିକ୍ଷକ ଯଦି ଠିକାଦାର ସାଜିବ ତେବେ ପିଲାମାନେ ପାଠ ନପଢି ବାଧ୍ୟ ହୋଇ ଶ୍ରମିକ ହେବେ ବୋଲି ବୁଦ୍ଧିଜୀବୀ ମତ ଦେଇଛନ୍ତି। ଏ ନେଇ ଆମେ ସ୍ଥାନୀୟ ଡବ୍ଲୁଇଓଙ୍କୁ ପଚାରିବାରୁ ସେ ଏ ନେଇ କିଛି ଜାଣିନଥିବା କହିବା ସହ ଏହାର ତଦନ୍ତ କରିବେ ବୋଲି କହିଥିଲେ। ଏହି ସ୍କୁଲ ଶିକ୍ଷା ବିଭାଗର ହୋଇଥିବା ଯୋଗୁଁ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ଯୋଗାଯୋଗ କରାଯାଇଥିବାବେଳେ ସେ ତଦନ୍ତ କରିବେ ବୋଲି କହିଥିଲେ । ସୂଚନାଯୋଗ୍ୟ ଯେ ଚନ୍ଦ୍ରପୁର ବ୍ଲକରେ ମଧ୍ୟ ଜନୈକ ଶିକ୍ଷକ ଠିକାଦାର କାମ କରୁଥିବା ନେଇ ତାଙ୍କ ବିରୁଦ୍ଧରେ ତଦନ୍ତ ଚାଲିଥିବା ଜଣାପଡିଛି।

Related posts

ଅନଲାଇନ ଗେମ୍ ହେଲା କାଳ

Odisha Halchal

ବଢୁଛି ବଜ୍ରକାପ୍ତା ଚାଲାଣ, ରାଜ୍ୟ ବାହାରକୁ ଜୀବନ୍ତ ବଜ୍ରକାପ୍ତା ଚାଲାଣ ପାଇଁ ଚାଲିଥିଲା ଡିଲ୍‌, ପହଞ୍ଚିଗଲା ପୋଲିସ୍‌

Odisha Halchal

ପୁଣି ଅଶାନ୍ତ ରାଜଧାନୀ: ତ୍ରିକୋଣୀୟ ପ୍ରେମ କାହାଣୀକୁ ନେଇ ଛୁରାମାଡ

Odisha Halchal

Leave a Comment