ଅପରାଧଓଡ଼ିଶା ଖବରନ୍ୟୁଜ୍

ଭଲ ରୋଜଗାର ଲୋଭରେ ଫସିଯାଉଛନ୍ତି ଅନେକ ଯୁବତୀ !

ଭଲ ରୋଜଗାର ଲୋଭରେ ଫସିଯାଉଛନ୍ତି ଅନେକ ଯୁବତୀ !

ରାଉରକେଲା/ବ୍ରାହ୍ମଣୀତରଙ୍ଗ(ବ୍ୟୁରୋ ଓଡିଶା ହାଲଚାଲ):-ଭଲ ରୋଜଗାର ଲୋଭରେ ଦିଲ୍ଲୀ କାମ କରି ଯାଇଥିବା ଜଣେ ନାବାଳିକା ୨୦୦୪ରୁ ଆଜି ପର୍ଯ୍ୟନ୍ତ ‌ଲାପତା । ପରିବାର ଲୋକ ବ୍ରାହ୍ମଣୀତରଙ୍ଗ ଥାନାରୁ ଆରମ୍ଭ କରି ଦିଲ୍ଲୀର ସଂପୃକ୍ତ ଅଞ୍ଚଳର ଥାନା ପର୍ଯ୍ୟନ୍ତ ଦୌଡିଛନ୍ତି। କିନ୍ତୁ କିଛି ସୁଫଳ ମିଳିନାହିଁ। ନିଯୁକ୍ତି ସଂସ୍ଥାରେ କାମ କରୁଥିବା କିଛି ଦଲାଲ ତାଙ୍କ ସାନ ଭଉଣୀଙ୍କୁ ଦିଲ୍ଲୀରେ ବିକି ଦେଇଥିବା ବଡଭଉଣୀ ସନମନି କୁମ୍ଭାର ଅଭିଯୋଗ କରିଛନ୍ତି। ସେ ବ୍ରାହ୍ମଣୀତରଙ୍ଗ ଥାନାରେ ଦେଇଥିବା ଲିଖିତ ଅଭିଯୋଗରେ ଦର୍ଶାଇଛନ୍ତି, ତାଙ୍କ ଗାଁର ଦୁଇଜଣ ଦଲାଲ ୨୦୦୪ ଅଗଷ୍ଟରେ ଘରକୁ ଆସିଥିଲେ। ସାନ ଭଉଣୀଙ୍କୁ ମାସିକ ମୋଟା ଅଙ୍କର ଦରମା ଦେବାକୁ କହି ଦିଲ୍ଲୀ ନେଇ ଯାଇଥିଲେ। ସେଠାରେ ତାଙ୍କୁ ଜଣଙ୍କ ଘରେ କାମ କରିବାକୁ ଛାଡିଦେଇଥିଲେ।

ତା’ପରଠାରୁ ୧୮ ବର୍ଷ ବିତିଯାଇଥିଲେ ହେଁ ନିଯୁକ୍ତି ସଂସ୍ଥାର କର୍ମଚାରୀମାନେ ଭଉଣୀଙ୍କ ସହ ଯୋଗାଯୋଗ କରିବାକୁ ଦେଉନାହାନ୍ତି। ସେ ଦିଲ୍ଲୀ ଯାଇ ନିଯୁକ୍ତି ସଂସ୍ଥାର କର୍ମଚାରୀଙ୍କୁ ଭଉଣୀ ବିଷୟରେ ପଚାରିଲେ ମଧ୍ୟ କୌଣସି ଉତ୍ତର ମିଳୁନାହିଁ। ଓଲଟା ନିଯୁକ୍ତି ସଂସ୍ଥାର କର୍ମଚାରୀମାନେ ତାଙ୍କୁ ଧମକ ଦେଉଛନ୍ତି – ସେ ଯେଉଁଠି କାମ କରୁଛି, ସେଠାକୁ ଗଲେ ମାଲିକ ତମକୁ ଗୁଳି କରି ମାରିଦେବେ! କେବଳ ବ୍ରାହ୍ମଣୀତରଙ୍ଗ ଥାନା ନୁହେଁ, ବଡଭଉଣୀ ସନମନି ନୂଆଦିଲ୍ଲୀର କୋଟ୍‌ଲା ମୁବାରକ୍‌ ଥାନାରେ ମଧ୍ୟ ସେହି ସମାନ ଲିଖିତ ଅଭିଯୋଗ କରିଛନ୍ତି। କିନ୍ତୁ ଉଭୟ ବ୍ରାହ୍ମଣୀତରଙ୍ଗ ଓ ନୂଆଦିଲ୍ଲୀର କୋଟଲା ଥାନା ପକ୍ଷରୁ ଭଉଣୀଙ୍କୁ ଫେରାଇ ଆଣିବାରେ ସେମିତି କୌଣସି ଦୃଢ଼ ପଦକ୍ଷେପ ନିଆ ଯାଉନାହିଁ ବୋଲି ବଡଭଉଣୀ ସନମନି ଅଭିଯୋଗ କରିଛନ୍ତି। ସେ କହିଛନ୍ତି, ବର୍ଷ ବର୍ଷ ଧରି ସେ ବ୍ରାହ୍ମଣୀତରଙ୍ଗ ଥାନାକୁ ଦୌଡ଼ିଥିଲେ ମଧ୍ୟ ପୁଲିସ ପୂର୍ବରୁ ତାଙ୍କର ଏତଲା ଗ୍ରହଣ କରୁ ନଥିଲା।

ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲ୍ଲାରେ ମାନବଚାଲାଣ ରାକେଟ୍‌ ସକ୍ରିୟ ଥିବା କାହାରିକୁ ଅଜଣା ନାହିଁ। ଭଲ ରୋଜଗାରର ଆଶା ଦେଖାଇ ଦଲାଲମାନେ ମଫସଲ ଅଞ୍ଚଳରୁ ନାବାଳିକାମାନଙ୍କୁ ନେଇ ଦିଲ୍ଲୀ, ମୁମ୍ବାଇ, ବାଙ୍ଗାଲୋର, ଚେନ୍ନାଇ, ଏପରିକି ଜମ୍ମୁ-କଶ୍ମୀରରେ ଆଦିରେ ବିକ୍ରି କରି ଦେଉଥିବା ନିୟମିତ ଅଭିଯୋଗ ହେଉଛି। ସେ ନାବାଳିକାଙ୍କ ମଧ୍ୟରୁ ଅଳ୍ପ କେତେଜଣ କୌଶଳକ୍ରମେ ଖସି ଆସୁଛନ୍ତି ବା ପୁଲିସ ସହାୟତାରେ ସେମାନଙ୍କୁ ଉଦ୍ଧାର କରା ଯାଉଛି। ବିଗତ ଦିନରେ ଲାଠିକଟା, ବିଶ୍ରା, ଲହୁଣିପଡା, ଗୁରୁଣ୍ଡିଆ ଆଦି ବ୍ଲକରୁ ଚାଲାଣ ହୋଇଥିବା ନାବାଳିକାମାନଙ୍କୁ ଉଦ୍ଧାର କରାଯାଇଛି। କିନ୍ତୁ ବାକି ନାବାଳିକା ବର୍ଷ ବର୍ଷ ଧରି ସେଠାରେ କ୍ରୀତଦାସ ପରି ବେଠି ଖଟୁଛନ୍ତି। ଲାଠିକଟା ବ୍ଲକ ଅନ୍ତର୍ଗତ ବ୍ରାହ୍ମଣୀତରଙ୍ଗ ଥାନା ଅଞ୍ଚଳରୁ ଏମିତି ଏକ ଘଟଣା ସାମ୍‌ନାକୁ ଆସିଛି।

ସୁନ୍ଦରଗଡ଼ ଜିଲ୍ଲାର ଅଧିକାଂଶ ଉପାନ୍ତ ବ୍ଲକରୁ ଏମିତି ଅନେକ ନାବାଳିକା ଝିଅ କାମ କରିବାକୁ ଯାଇ ଅନ୍ୟ ରାଜ୍ୟରେ ବନ୍ଧା ପଡିଛନ୍ତି। ନୂଆଦିଲ୍ଲୀ, ବାଙ୍ଗାଲୋର ଓ ଚେନ୍ନାଇ ସମେତ ଅନ୍ୟ କେତେକ ପ୍ରମୁଖ ସହରରେ ଥିବା କିଛି ନିଯୁକ୍ତି ସଂସ୍ଥା ସୁନ୍ଦରଗଡ଼ ଜିଲ୍ଲାର କିଛି ଦଲାଲଙ୍କ ଜରିଆରେ ଏଭଳି କାରବାର ଚଳାଉଛନ୍ତି। ଦଲାଲମାନେ ଆଦିବାସୀ ଗରିବ ପରିବାରଗୁଡ଼ିକୁ ଟାର୍ଗେଟ କରୁଛନ୍ତି। ମୋଟା ଅଙ୍କର ରୋଜଗାର ଲୋଭ ଦେଖାଇ ନାବିଳାକା ଓ ଯୁବତୀମାନଙ୍କୁ ଗାଁରୁ ନେଇ ଦିଲ୍ଲୀ, ଚେନ୍ନାଇ, ବାଙ୍ଗାଲୋର ଓ ମୁମ୍ବାଇ ଭଳି ସହରରେ ଥିବା ଉକ୍ତ ନିଯୁକ୍ତି ସଂସ୍ଥାର କାର୍ଯ୍ୟାଳୟରେ ପହଞ୍ଚାଉଛନ୍ତି। ବଦଳରେ ସେମାନେ ମୋଟା ଅଙ୍କର କମିସନ ପାଉଛନ୍ତି। ତା’ପରେ ଉକ୍ତ ନାବାଳିକାମାନଙ୍କ ବିଷୟରେ ଆଦୌ ମୁଣ୍ଡ ଖେଳାଉନାହାନ୍ତି। ନିଯୁକ୍ତି ସଂସ୍ଥାଗୁଡ଼ିକ ସେମାନଙ୍କୁ କେଉଁଠାରେ କେଉଁ କାମ ଦେଇଛନ୍ତି, ତା’ର ତଥ୍ୟ ରଖୁନାହାନ୍ତି। ଉଲ୍ଲେଖଯୋଗ୍ୟ ଯେ ଗତ ପ୍ରାୟ ବର୍ଷକ ତଳେ ଜିଲ୍ଲା ଶ୍ରମବିଭାଗ ରାଉରକେଲା ପୁଲିସ ସହାୟତାରେ ଚେନ୍ନାଇର ବିଭିନ୍ନ ଲୋକଙ୍କ ଘରେ ବେଠି ଖଟିବାଭଳି କାମ କରୁଥିବା ବନ୍ଧମୁଣ୍ଡା ଓ ଲାଠକଟାର ୬ ଜଣ ନାବାଳିକା ଓ ଯୁବତୀଙ୍କୁ ଉଦ୍ଧାର କରିଥିଲେ। ପୁଲିସ ଗିରଫ ଭୟରେ ସେତେବେଳେ ଅନେକ ଦଲାଲ ଜିଲ୍ଲା ଛାଡି ଦେଇଥିଲେ।

Related posts

ସ୍କୁଲରେ କାର୍ଯ୍ୟରତ ମହିଳା କର୍ମଚାରୀ ଓ ପୁରୁଷ କର୍ମଚାରୀ ବିଚ୍‌ ରାସ୍ତାରେ ହାତାହାତି

Odisha Halchal

ବାଲ୍ୟବିବାହ ରୋକିବା ନେଇ ତିଆରି ହେଲା”ମିଶନ ଉଡ଼ାଣ”

Odisha Halchal

ମୁଖ୍ୟ ରାସ୍ତାରେ ଚାଲିଛି ଖେଳ ପ୍ରତି ଯୋଗୀତା

Odisha Halchal

Leave a Comment