ଓଡ଼ିଶା ଖବରନ୍ୟୁଜ୍

ବିଧାୟକ ମହୀଧରଙ୍କ ବିରୋଧରେ ତେଜୁଛି ଅସନ୍ତୋଷ

ବିଧାୟକ ମହୀଧରଙ୍କ ବିରୋଧରେ ତେଜୁଛି ଅସନ୍ତୋଷ

ବୌଦ୍ଧ (ବ୍ୟୁରୋ:- ଓଡିଶା ହାଲଚାଲ):- ସାଧାରଣ ନିର୍ବାଚନ ପୂର୍ବରୁ ବୌଦ୍ଧ ଜିଲା କଣ୍ଟାମାଳ ନିର୍ବାଚନ ମଣ୍ଡଳୀରେ ରାଜନୈତିକ ମାହୋଲ ହଠାତ ଉଷ୍ମ ହେବାରେ ଲାଗିଛି । ବିଜେଡିର ଅନ୍ୟତମ ପୁରୁଖା ନେତା ତଥା ବୌଦ୍ଧ ବ୍ଲକ ଅଧ୍ୟକ୍ଷ ପ୍ରିୟଦର୍ଶୀ ପ୍ରତ୍ୟୁଷ (ବବି) ରଥଙ୍କ ବରିବର୍ତନ ସମାବେଶରେ ବିଭିନ୍ନ ଦଳର ବହୁ ପୁରୁଖା ନେତା ସାମିଲ ହେଉଥିବାବେଳେ ଏହା ବିଜେଡିର କଣ୍ଟାମାଳ ବିଧାୟକ ମହୀଧର ରଣାଙ୍କ ପାଇଁ ମୁଣ୍ଡବ୍ୟଥାର କାରଣ ପାଲଟିଛି ।

କଣ୍ଟାମାଳ ନିର୍ବାଚନ ମଣ୍ଡଳୀର ବିଭିନ୍ନ ସ୍ଥାନରେ ନୂଆଖାଇ ଭେଟଘାଟ ନାମରେ ବବି ରଥଙ୍କ ନେତୃତ୍ୱରେ ଚାଲିଥିବା ଏହି ପରିର୍ବତନ ସମାବେଶରେ ଖୋଲାଖୋଲି ଭାବରେ ମହୀଧରଙ୍କ ନେତୃତ୍ୱକୁ ବିରୋଧ କରାଯାଉଥିବାବେଳେ ରାଜନିତୀ ସହିତ ପ୍ରାର୍ଥୀଙ୍କ ଶିକ୍ଷାଗତ ଯୋଗ୍ୟତା, ବିକାଶମୂଳକ ଦୂରଦ୍ରଷ୍ଟିତା ତଥା ସାମାଜିକ ଛବିକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି କରାଯାଉଥିବା ଦେଖାଯାଇଛି । ବୌଦ୍ଧ ବ୍ଲକ ବହିରା ସ୍କୁଲ ପଡିଆଠାରେ ମଙ୍ଗଳବାର ଦିନ ବବିଙ୍କ ନେତୃତ୍ୱରେ ହୋଇଥିବା ପରିବର୍ତନ ସମାବେଶରେ ମହୀଧରଙ୍କ ନେତୃତ୍ୱରେ କଣ୍ଟାମାଳ ନିର୍ବାଚନ ମଣ୍ଡଳୀରେ ବିଜେଡି ବଦନାମ ହୋଇସାରିଥିବାବେଳେ କେବଳ ଠିକାଦାର ଓ ଦୁର୍ନୀତିଖୋର ଲୋକମାନେ ଏଥିରେ ସାମିଲ ହୋଇ ମୁଖ୍ୟମନ୍ତ୍ରୀଙ୍କ ଛବିକୁ ଖରାପ କରୁଥିବା ନେଇ ଦଳର ଛାମୁଆଁ ନେତାମାନେ ପ୍ରଶ୍ନ ଉଠାଇଛନ୍ତି ।

ତେଣୁ ଦଳରେ ନେତୃତ୍ୱ ପରିବର୍ତନ ଜରୂରୀ ଏବଂ ବବିଙ୍କ ପରି ଶିକ୍ଷିତ ଲୋକମାନେ ଏହାର ନେତୃତ୍ୱ ନେବା ଉଚିତ ବୋଲି ବହୁ ସଂଖ୍ୟାରେ ସରପଞ୍ଚ,ସମିତିସଭ୍ୟ,ପୂର୍ବତନ ଜନପ୍ର୍ରତିନିଧିମାନେ ମତପ୍ରକାଶ କରିଛନ୍ତି । ନିର୍ବାଚନ ମଣ୍ଡଳୀର ବିକାଶ ପାଇଁ ରାଜ୍ୟ ସରକାର ପର୍ଯ୍ୟାପ୍ତ ମାତ୍ରାରେ ଅର୍ଥ ଯୋଗାଇଦେଉଥିଲେ ମଧ୍ୟ ବିଧାୟକ ମହୀଧରଙ୍କ ଛତ୍ରଛାୟା ତଳେ ଅନେକ ଦୁର୍ନିତୀଗ୍ରସ୍ତ ବ୍ୟକ୍ତିବିଶେଷ ସେସବୁ ବାଟମାରଣା କରିବାରେ ଲାଗିଛନ୍ତି ବୋଲି ଖୋଦ ବୌଦ୍ଧ ବ୍ଲକ ଅଧ୍ୟକ୍ଷ ଶ୍ରୀରଥ ଅଭିଯୋଗ କରିଛନ୍ତି । ନିକଟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରତି ପଞ୍ଚାୟତର ବିକାଶ ଲାଗି ୫୦ ଲକ୍ଷ ଟଙ୍କା ଯୋଗାଇଦେଇଥିବା ନେଇ ୫ଟି ଅଧ୍ୟକ୍ଷ ଭିକେ ପାଣ୍ଡିଆନ ଘୋଷଣା କରିଥିବାବେଳେ ତିନିଦିନ ମଧ୍ୟରେ କଣ୍ଟାମାଳ ନିର୍ବାଚନ ମଣ୍ଡଳୀର ପ୍ରତି ପଞ୍ଚାୟତର ପ୍ରକଳ୍ପ ତାଲିକା ସହ ଠିକାଦାରଙ୍କ ନାମ ମଧ୍ୟ ପ୍ରଶାସନ ନିକଟରେ ପହଞ୍ଚି ସାରିଲାଣି ।

ନିର୍ବାଚନ ମଣ୍ଡଳୀକୁ ମିଳୁଥିବା ବିଧାୟକ ପାଣ୍ଠି ବିଭିନ୍ନ ମନ୍ଦିର ପରିସରର ଉନ୍ନୟନ ଓ ପୋଖରୀ ଖନନ ଆଦି ପ୍ରକଳ୍ପ ଦେଖାଇ ହରିଲୁଟ କରାଯାଉଅଛି । ଏହି ସବୁ ଅନୁଦାନ ଖର୍ଚ୍ଚର ବାସ୍ତବ ଚିତ୍ର କିନ୍ତୁ ଓଲଟା । ଅନେକ ସ୍ଥାନରେ କାମ ନହୋଇ ବିଲ ଉଠାଯାଇଥିବାବେଳେ ଗୋଟିଏ ଗୋଟିଏ ପୋଖରୀକୁ ତିନିଥର ବିଲ କରାଯାଇଥିବା ଭଳି ସଙ୍ଗିନ ଅଭିଯୋଗ ମଧ୍ୟ ପରିର୍ବତନ ସମାବେଶରେ ନେତାମାନେ ପ୍ରଶ୍ନ ଉଠାଇଛନ୍ତି । ନିର୍ବାଚନ ମଣ୍ଡଳୀରେ ୮ ଗୋଟି ମେଗା ଉଠାଜଳ ସେଚନ ପ୍ରକଳ୍ପ ହୋଇଥିଲେ ମଧ୍ୟ କଣ୍ଟାମାଳ ବ୍ଲକରେ ଚାଷୀ ଚାଷ ପାଇଁ ପାଣି ନପାଇ ଦାଦନ ଖଟିବାକୁ ଯାଉଅଛି। ଜିଲାରେ କଣ୍ଟାମାଳ ଦାଦନ ପଠାଇବାର ଦୁର୍ନାମ ଅର୍ଜନ କରିଛି ।  ସ୍ୱତନ୍ତ୍ର ନିର୍ବାଚନ ମଣ୍ଡଳୀ ହୋଇଥିଲେ ମଧ୍ୟ ଆଜି ଜିଲାରେ କଣ୍ଟାମାଳ  ବ୍ଲକ ଏକ ଅବହେଳିତ ଅଞ୍ଚଳ ହୋଇ ରହିଛି ଏବଂ ଏହାର କାରଣ ଦୁର୍ବଳ ନେତୃତ୍ୱ ଓ ନେତାଙ୍କ ଶିକ୍ଷାଗତ ଯୋଗ୍ୟତା । ତେଣୁ ଏଥର ନିର୍ବାଚନରେ ନେତୃତ୍ୱ ପରିବର୍ତନ ଜରୂରୀ ବୋଲି  ଏହି ସମାବେଶରେ ମତପ୍ରକାଶ ପାଇଛି ।

ପରିବର୍ତନ ସମାବେଶରେ ବହୁ ସଂଖ୍ୟାରେ ନେତା ଓ କର୍ମୀ ସାମିଲ ହେଉଥିବାବେଳେ ଏଥର ମହିଧରଙ୍କ ଆସନ ଟଳମଳ ବୋଲି ରାଜନୈତିକ ମହଲରେ ଆଲୋଚନା ଜୋର ଧରିଛି। ବବିଙ୍କ ପରି ଜଣେ ଉଚ୍ଚ ଶିକ୍ଷିତ ଓ ଦୂରଦର୍ଶୀ ନେତୃତ୍ୱ ଆଗକୁ ଆସିବା ଏହି ନିର୍ବାଚନ ମଣ୍ଡଳୀର ଆଗାମୀ ଭବିଷ୍ୟତ ପାଇଁ ଶୁଭଙ୍କର ବୋଲି ଅନେକ ପୁରୁଖା ନେତା ମତପ୍ରକାଶ କରୁଛନ୍ତି। ତେବେ ଏହି ପରିବର୍ତନ ସମାବେଶ ମହିଧରଙ୍କୁ ହଟାଇବାରେ କେତେ ସହାୟକ ହୋଇପାରୁଛି ତାହାକୁ ନେଇ ରାଜନୈତିକ ମାହୋଲରେ ଚର୍ଚ୍ଚା ଜୋର ଧରିଛି ।

ପୂର୍ବତନ ବୌଦ୍ଧ ବ୍ଲକ ଅଧ୍ୟକ୍ଷ ପୟୋଧର ମହାକୁଡଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ପରିବର୍ତନ ସମାବେଶରେ କୋଶଳ ସୁନ୍ଦରୀ ତଥା ନାରୀ ନେତ୍ରୀ  ଚୁମକି ମିଶ୍ର,ନାରୟଣପ୍ରସାଦ ସରପଞ୍ଚ ପ୍ରତିନିଧି ସତ୍ୟନାରାୟଣ ମାଝି,ବରଗାଁ ର ପୂର୍ବତନ ସରପଞ୍ଚ ବିବଛ କହଁର,ଖଲିଆପାଲିର ସମିତି ସଭ୍ୟ ତଥା ପୂର୍ବତନ ଜିଲାପରିଷଦ ସଭ୍ୟ କେଦାର ସାହୁ,ସରପଞ୍ଚ ପ୍ରତିନିଧି ଜେମାକାନ୍ତ ନାଏକ,ପୂର୍ବତନ ସମିତି ସଭ୍ୟ ଗଶେଶ ମିଶ୍ର,ଦିଲ୍ଲିପ ପ୍ରଧାନ,ମନୁପାଲି ସରପଞ୍ଚ ଭାରତ ମଲ୍ଲିକ, ବୌଦ୍ଧ ବ୍ଲକ ଉପାଧ୍ୟକ୍ଷା ପାନେଶ୍ୱରୀ ଦେହୁରୀ,ଗୁନ୍ଦୁଳିଆ ସରପଞ୍ଚ ଧବଳେଶ୍ୱର ସିଂହ,ଗୁଛାପଡା ସରପଞ୍ଚ ପ୍ରତିନିଧି ବଳଦେବ ମେହେର,ସମିତିସଭ୍ୟ ବଳଦେବ କର୍ମୀ,ବାଊଁଶୁଣୀ ସମିତିସଭ୍ୟ ପ୍ରମୋଦ କୁମାର ଦେହୁରୀ,ବହିରା ସମିତିସଭ୍ୟା ପୁଷ୍ପାଞ୍ଜଳୀ ବାଦୀ ଓ ସମାଜସେବୀ ରାଜୁ ମେହେରଙ୍କ ସମେତ ବହୁ ପୁରୁଖା ନେତା ସାମିଲ ହୋଇଥିଲେ ।

Related posts

ଖଡ଼ିଆଳ ମହୋତ୍ସବରେ ବଲିଉଡ ସିଙ୍ଗର

Odisha Halchal

ଓଡିଶା ପୋଲିସ କେ. ନାଇନ୍ ସ୍କ୍ବାର୍ଡରେ ସାମିଲ ହେଲା ବେଲଜିୟମ୍ ମେଲେନିୟସ ପ୍ରଜାତି କୁକୁର

Odisha Halchal

ବିଷ ଦେଇ ମାରିଦେଲେ ପାଞ୍ଚ ମାଙ୍କଡ

Odisha Halchal

Leave a Comment