ଅପରାଧଓଡ଼ିଶା ଖବରନ୍ୟୁଜ୍

ଅଜଣା ନମ୍ବରରୁ କଲ୍‌ ଆସୁଛି କି ତାହେଲେ ସାବଧାନ

ଅଜଣା ନମ୍ବରରୁ କଲ୍‌ ଆସୁଛି କି ତାହେଲେ ସାବଧାନ

ଭୁବନେଶ୍ବର(ବ୍ୟୁରୋ :ଓଡିଶା ହାଲଚାଲ):-ଭିନ୍ନ ଭିନ୍ନ ଅଜଣା ନମ୍ବରରୁ କଲ୍‌ ଆସୁଛି। କାହାକୁ ହ୍ବାଟ୍‌ସଆପ୍‌ରେ ତ କାହାକୁ ସ୍କାଇପେ ଭଳି ସୋସିଆଲ୍‌ ମିଡିଆ ଆପ୍‌ରେ କଲ୍‌ ଆସୁଛି। ଠକ କାହାକୁ ନାର୍କୋଟିକ୍ସ ତ କାହାକୁ ସିବିଆଇ ଅଧିକାରୀର ପରିଚୟ ଦେଉଛି। ପୁଣି କାହାକୁ ଇଡି ତ କାହାକୁ ବରିଷ୍ଠ ପୁଲିସ ଅଧିକାରୀର ପରିଚୟ ଦେଉଛନ୍ତି। ବିଶ୍ବାସ ଜନ୍ମାଇବା ପାଇଁ ଜାଲ୍‌ ପରିଚୟପତ୍ର ମଧ୍ୟ ଦେଖାଉଛନ୍ତି। ମାମଲା ଥିବାର ଭୟ ଦେଖାଇ ଲୋକଙ୍କଠାରୁ ଲକ୍ଷ ଲକ୍ଷ ଟଙ୍କା ଲୁଟୁଛନ୍ତି। ଦୁବାଇରୁ ଜାଲ ବିଛାଇଥିବା ଏଭଳି ଏକ ସାଇବର ଲୁଟେରା ରୢାକେଟ୍‌ ସାରା ଦେଶରୁ ସାଢ଼େ ୫କୋଟିରୁ ଊର୍ଧ୍ବ ଟଙ୍କା ଚୂନ ଲଗାଇସାରିଛି।

ନୂଆପଲ୍ଲୀ ଅଞ୍ଚଳର ରତ୍ନା ତ୍ରିପାଠୀ ନାମକ ଜଣେ ମହିଳା ଦେଢ଼ ଲକ୍ଷ ଟଙ୍କା ଠକାମିର ଶିକାର ହୋଇଛନ୍ତି। ଏନେଇ ସେ କ୍ରାଇମ୍‌ବ୍ରାଞ୍ଚ ଅର୍ଥନୈତିକ ଅପରାଧ ଶାଖା(ଇଓଡବ୍ଲୁ)ରେ ଅଭିଯୋଗ ପରେ ଘଟଣା ପଦାକୁ ଆସିଛି। ଇଓଡବ୍ଲୁ ଏକ ମାମଲା ରୁଜୁକରି ବିଭିନ୍ନ ଦିଗ ଉପରେ ଯାଞ୍ଚ କରିବା ସହ ୧୭ଟି ବ୍ୟାଙ୍କ ଆକାଉଣ୍ଟକୁ ଫ୍ରିଜ୍‌ କରିଛି। ଦୁଇବାରେ ଥିବା ରୢାକେଟ୍‌ର ମାଷ୍ଟରମାଇଣ୍ଡ ଓ ଏହାର ସହଯୋଗୀଙ୍କୁ ଠାବପାଇଁ ରୢାକେଟ୍‌ରେ ବ୍ୟବହାର ହୋଇଥିବା ବିଭିନ୍ନ ବ୍ୟାଙ୍କ, ହ୍ବାଟସ୍‌ଆପ୍‌, ସ୍କାଇପେ, ଅଜଣା ନମ୍ବର ଆଦିକୁ ନେଇ ଖୋଳତାଡ଼ କରୁଛି। ଅଧିକ ତଥ୍ୟ ପାଇଁ ସମସ୍ତ ବିଭାଗକୁ ଇଓଡବ୍ଲୁ ଚିଠି ଲେଖିଛି।

ଗତ ୨୩ ତାରିଖ ଦିନ ରତ୍ନାଙ୍କୁ ଏକ ଅଜଣା ନମ୍ବରରୁ କଲ୍ ଆସିଥିଲା। ବ୍ୟକ୍ତି ଜଣଙ୍କ ନିଜକୁ‌‌ ହାଇଦ୍ରାବାଦସ୍ଥିତ ଫେଡେକ୍ସ ନାମକ କୋରିୟର ସଂସ୍ଥାର କର୍ମଚାରୀ ପରିଚୟ ଦେଇ କହିଥଲେ ଯେ, ଆପଣଙ୍କର ଏକ ପାର୍ସଲ ଆସିଛି। ଯେଉଁଥିରେ ୬ଟି ପାସ୍‌ପୋର୍ଟ, ଗୋଟିଏ ଲାପ୍‌ଟପ୍‌, ୫ଟି ଏଟିଏମ୍‌ ଏବଂ ୧୫୦ଗ୍ରାମ ଡ୍ରଗ୍ସ ରହିଛି। ହେଲେ ପାର୍ସଲକୁ ମୁମ୍ବାଇ ନାର୍କୋଟିକ୍ସ କଣ୍ଟ୍ରୋଲ୍‌ ବ୍ୟୁରୋ(ଏନ୍‌ସିବି) ଧରିଛି। ଆପଣଙ୍କୁ ମୁମ୍ବାଇ ଏନ୍‌ସିବି ଅଧିକାରୀଙ୍କ ସହ କଥା ହେବାକୁ ପଡ଼ିବ। ମହିଳା ମନାକରିବାରୁ ଠକ ତାଙ୍କୁ ବିଭିନ୍ନ ଭୟ ଦେଖାଇଥିଲେ। ମହିଳା ରାଜି ହେବା ପରେ ତାଙ୍କୁ ସ୍କାଇପେ ମାଧ୍ୟମରେ ମିଷ୍ଟର ଗିଲ୍‌ ନାମକ ବ୍ୟକ୍ତିଙ୍କ ସହ ଯୋଗାଯୋଗ କରାଇଥିଲେ। ବିଶ୍ବାସ ଆଣିବା ପାଇଁ ଏନ୍‌ସିବିର ଆଇଡି କାର୍ଡ ଦେଖାଇଥିଲେ। ଠକ ଅଧିକାରୀ କହିଥିଲେ ଯେ, ଆପଣଙ୍କର ୩ଟି ବ୍ୟାଙ୍କ ଆକାଉଣ୍ଟ ଲିଙ୍କ୍‌ ରହିଛି।

ସେ ସବୁର ଯାଞ୍ଚ ହେବ। ଏଥିପାଇଁ ଆର୍‌ବିଆଇରୁ ଚିଠି ମଧ୍ୟ ଆସିଛି। ମହିଳାଙ୍କ ମନରେ ବିଶ୍ବାସ ଆଣିବା ପାଇଁ ଆର୍‌ବିଆଇର ଏକ ଜାଲ୍‌ ଚିଠି ବି ପଠାଇଥିଲେ। ଯଦି ଯାଞ୍ଚ କିରବାକୁ ରାଜି ନହେବେ ଆପଣଙ୍କ ନାଁରେ ମନିଲଣ୍ଡରିଂ ମାମଲା, ଗ୍ୟାଙ୍ଗଷ୍ଟର ଲିଙ୍କ, ବେଆଇନ୍‌ ଅର୍ଥ କାରବାର ମାମଲା ରୁଜୁହେବ।ମହିଳା ଜଣଙ୍କ ଭୟରେ ଆକାଉଣ୍ଟ ଯାଞ୍ଚ ପାଇଁ ରାଜି ହୋଇଥିଲେ। ତେବେ ଆକାଉଣ୍ଟ ଯାଞ୍ଚ ପାଇଁ ପ୍ରତି ଆକାଉଣ୍ଟ ପିଛା ୪୯ହଜାର ଟଙ୍କା ଦେବାକୁ ହେବ। ଯଦି କୌଣସି ବେଆଇନ୍‌ ଟ୍ରାଞ୍ଜାକ୍ସନ ନଥାଏ ତେବେ ୧୫ ମିନିଟ୍‌ ମଧ୍ୟରେ ଆପଣଙ୍କ ଆକାଉଣ୍ଟକୁ ଟଙ୍କା ଫେରାଇ ଦିଆଯିବ। ମହିଳା ଜଣଙ୍କ ୩ଟି ଆକାଉଣ୍ଟ ପାଇଁ ଟଙ୍କା ପଠାଇବାର କିଛି ସମୟ ପରେ କ୍ଲିନ୍‌ଚିଟ୍‌ ମେସେଜ୍‌ ଆସିଲା। ହେଲେ ଟଙ୍କା ଆସିଲା ନାହିଁ।

ଟଙ୍କା ଫେରସ୍ତ ପାଇଁ ମହିଳା ଯେତେ କଲ୍‌ କରିଥିଲେ ବି ‌କେହି ଫୋନ୍‌ ରିସିଭ୍‌ କରିନଥିଲେ। ଠକେଇର ଶିକାର ହେବା ପରେ ମହିଳା ଇଓଡବ୍ଲୁରେ ଅଭିଯୋଗ କରିଥିଲେ। ଇଓଡବ୍ଲୁ ତଦନ୍ତରୁ ଜାଣିବାକୁ ପାଇଛି ଯେ, ଏହି ଠକେଇ ରୢାକେଟ୍‌ ମାତ୍ର ୨-୩ଦିନରେ ଦେଶର ଶହ ଶହ ଲୋକଙ୍କୁ କୋଟି କୋଟି ଟଙ୍କା ଚୂନ ଲଗାଇଛି। ଲୋକଙ୍କ ଠାରୁ ଠକେଇ ଟଙ୍କା ଦୁଇବାର ବିଭିନ୍ନ ବ୍ୟାଙ୍କ ଏଟିଏମ୍‌ରୁ ଉଠାଯାଇଛି। ତେଣୁ ଠକକୁ ଧରିବା ପାଇଁ ମାମଲା ତଦନ୍ତ ଜାରି ରହିଛି।ଅନ୍ୟପଟେ କୌଣସି ଅଜଣା ନମ୍ବର କଲ୍‌ରୁ ଧମକ କିମ୍ବା ସନ୍ଦେହଜନକ ମେସେଜ୍ ପାଇଲେ ତୁରନ୍ତ ୧୧୨ରେ କଲ୍‌ କିମ୍ବା ୧୯୩୦ରେ କଲ୍‌ କରି ଅଭିଯୋ‌ଗ କରିବାକୁ ଇଓଡବ୍ଲୁ ପକ୍ଷରୁ କୁହାଯାଇଛି।

Related posts

ମାନସ ସ୍ୱାଇଁ ହତ୍ୟା ମାମଲା: ଭୁବନେଶ୍ୱରର ଦୟାଲ ବୃଦ୍ଧାଶ୍ରମରେ କ୍ରାଇମବ୍ରାଞ୍ଚ ର ଟିମ୍

Odisha Halchal

ବାଇକ୍ ଦୁର୍ଘଟଣା, ଗୋଟିଏ ପରିବାର ର ତିନି ମୃତ

Odisha Halchal

ଭାରତୀୟ ଔଷଧର ବିଶ୍ୱସନୀୟତାରେ କଳାଦାଗ

Odisha Halchal

Leave a Comment