ଓଡ଼ିଶା ଖବରନ୍ୟୁଜ୍

ରାସ୍ତା ନ ଥିବାରୁ ଉଜୁଡ଼ିଗଲା ସଂସାର

ରାସ୍ତା ନ ଥିବାରୁ ଉଜୁଡ଼ିଗଲା ସଂସାର

ଗାଁକୁ ରାସ୍ତା ଖଣ୍ଡେ ନ ଥିବାରୁ ଅକାଳରେ ଚାଲିଗଲା ଜଣେ ରୋଗୀଙ୍କ ଜୀବନ। ଦୀର୍ଘ ୫ କିମି ଦୂରରେ ଛିଡ଼ା ହୋଇଥିବା ଆମ୍ବୁଲାନ୍ସ ନିକଟକୁ ଖଟିଆରେ ରୋଗୀ ବୋହି ଆଣିବାକୁ ଲାଗିଗଲା ୨ ଘଣ୍ଟାରୁ ଅଧିକ ସମୟ। ଫଳରେ ଡାକ୍ତରଖାନାରେ ପହଞ୍ଚିବା ବେଳକୁ ଆଖି ବୁଜି ସାରିଥିଲା ରୋଗୀ। ଗତବର୍ଷ ଏହି ସମସ୍ୟା ନିମନ୍ତେ ଏକ ୫ ବର୍ଷ ଝିଅର ଜୀବନ ଚାଲିଥିବା ବେଳେ ପୁଣି ବର୍ଷେ ପରେ ଘଟିଛି ସମାନ ଘଟଣା। ହେଲେ ଚେତୁ ନାହାନ୍ତି ସରକାର । ଏପରି ହୃଦୟ ବିଦାରକ ଘଟଣା ସମ୍ବଲପୁର ଜିଲ୍ଲା ନାକଟିଦେଉଳ ବ୍ଲକ ବଡ଼ବିଲ ଗାଁରେ ଆଜି ସକାଳେ ଘଟିଛି। ମୃତକ ହେଲେ ବଡ଼ବିଲ ଗାଁର ବିରଞ୍ଚି ଦେହୁରୀ ।

ବିରଞ୍ଚି ଦେହୁରୀ ଆଜି ସକାଳୁ ଚାଷ କରିବା ପାଇଁ ଜମିକୁ ଯାଇଥିଲେ । ମାତ୍ର ସେ ହଠାତ୍ ଜମିରେ‌ ଅଚେତ ହୋଇ ପଡ଼ିଯାଇଥିଲେ । ଖବର ପାଇ ପରିବାର ଲୋକେ ତାଙ୍କୁ ପ୍ରଥମେ ଗାଁକୁ ଆଣିଥିଲେ। ଏହାପରେ ୧୦୮ ଆମ୍ବୁଲାନ୍ସ ଖବର ଦେଇଥିଲେ। ଆମ୍ବୁଲାନ୍ସଟି ଆସିଥିଲେ ମଧ୍ୟ ତାହା ଗାଁଠାରୁ ୫ କିମି ଦୂରରେ ରହିଥିଲା।

ବଡ଼ବିଲ ଗାଁକୁ ମାଟିଚଲା ରାସ୍ତା ଥିବା ବେଳେ ମଝିରେ ଚମ୍ପାଳି ଓ ବୁକାଖାଇ ନାମକ ୨ଟି ନାଳ ପଡ଼ିଥାଏ । ଉକ୍ତ ରାସ୍ତାରେ ଯିବା ସମ୍ଭବପର ନ ହେବାରୁ ଆମ୍ବୁଲାନ୍ସଟି ଗାଁଠାରୁ ୫କି.ମି ଦୂର ଧାତୁକିମାଳ ଚମ୍ଫାଳି ନାଳ ଖଣ୍ଡିରେ ଅଟକି ରହିଲା । ଏହାପରେ ପରିବାର ଓ ଗାଁ ଲୋକେ ପ୍ରାୟ ଦୁଇ ଘଣ୍ଟା ପର୍ଯ୍ୟନ୍ତ ଏକ ଖଟିଆରେ ବିରଞ୍ଚିଙ୍କୁ ବୋହି ଆମ୍ବୁଲାନ୍ସ ପର୍ଯ୍ୟନ୍ତ ଆଣିଥିଲେ। ସେଠାରୁ ତାଙ୍କୁ ରେଢ଼ାଖୋଲ ମେଡିକାଲ ନିଆଯାଇଥିବା ବେଳେ ଡାକ୍ତର ମୃତ ଘୋଷଣା କରିଥିଲେ।

ବିରଞ୍ଚିଙ୍କ ପତ୍ନୀ କହିଛନ୍ତି, ମୋ ମଥାରୁ ପୋଛି ହୋଇଗଲା ସିନ୍ଦୂର। ରାସ୍ତା ଖଣ୍ଡେ ଥିଲେ ହୁଏତ ମୋ ସଂସାର ଉଜୁଡ଼ି ନ ଥାନ୍ତା କି ମୋ’ ପରିବାର ଛାରଖାର ହୋଇନଥାନ୍ତା।ରାସ୍ତା ଭଲ ଥିଲେ ବିରଞ୍ଚିଙ୍କ ଜୀବନ ବଞ୍ଚ ଯାଇଥାନ୍ତା ବୋଲି ପରିବାର ଅଭିଯୋଗ କରିଛନ୍ତି । ନାକଟିଦେଉଳ ବିଡିଓ କହିଛନ୍ତି, ଏହା ଏକ ଦୁଃଖଦ ଘଟଣା। ରାସ୍ତା ଓ ପୋଲ ନିର୍ମାଣ ପାଇଁ ଆରଡି ବିଭାଗକୁ ଚିଠି କରାଯାଇଛି।
ଏହି ଅଞ୍ଚଳରେ ରାସ୍ତା ନ ଥିବାରୁ ଗତବର୍ଷ ମଧ୍ୟ ଏକ ବିକଳ ଚିତ୍ର ଦେଖିବାକୁ ମିଳିଥିଲା।

କମଳାନାଳି ଗାଁର ଅର୍ଜୁନ ଦେହୁରୀଙ୍କ ୫ ବର୍ଷର କୁନି ଝିଅ ଗୁରୁତର ଅସୁସ୍ଥ ହୋଇ ପଡ଼ିଥିଲେ । ମାତ୍ର ଗାଁକୁ ରାସ୍ତା ନ ଥିବାରୁ ଆମ୍ବୁଲାନ୍ସଟି ଅଧା ବାଟରେ ଅଟକି ରହିଥିଲା। ଏହା ଦେଖି ଅସହାୟ ଵାପା କାନ୍ଧରେ କୁନି ଝିଅକୁ ବୋହି ନାଳ ପାର କରି ରେଢ଼ାଖୋଲ ମେଡିକାଲ ନେଇଥିଲେ। ମାତ୍ର ସେଠାରେ ଝିଅଟିର ଜୀବନ ଚାଲିଯାଇଥିଲା । ବାରମ୍ବାର ଏପରି ଘଟଣା ଘଟି ଚାଲୁଥିବା ବେଳେ ପ୍ରଶାସନ କେବେ ଚେତୁଛି ଓ ବଡ଼ବିଲ ଗାଁକୁ ରାସ୍ତା ନିର୍ମାଣ କରୁଛି, ତାହା ଉପରେ ସ୍ଥାନୀୟ ଅଞ୍ଚଳବାସୀଙ୍କ ନଜର ରହିଛି।

Related posts

ଡଷ୍ଟବିନ୍ ପାଖରୁ ନବଜାତ ପୁତ୍ର ସନ୍ତାନ ଉଦ୍ଧାର

Odisha Halchal

ଏ ଖାଦ୍ୟକୁ କୁକୁର ଖାଉନାହାନ୍ତି, ସରକାର ଆସି ଚାଖନ୍ତୁ

Odisha Halchal

ଆସୁଛି ମହାବାତ୍ୟା ‘ସିତରଙ୍ଗ’,

Odisha Halchal

Leave a Comment