ଦେଶ ବିଦେଶନ୍ୟୁଜ୍ବିଶେଷ ଖବର

କଣ ରହିଛି ଆଗତ ୨୦୨୩-୨୪ ବଜେଟ

କଣ ରହିଛି ଆଗତ ୨୦୨୩-୨୪ ବଜେଟ

ନୂଆଦିଲ୍ଲୀ:-(ବ୍ୟୁରୋ :ଓଡିଶା ହାଲଚାଲ ) କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୨୦୨୩-୨୪ ଆର୍ଥିକ ବର୍ଷ ଲାଗି ଆଜି ସଂସଦରେ ସାଧାରଣ ବଜେଟ୍‍ ଆଗତ କରିଛନ୍ତି। ଏହି ବଜେଟରେ ଅନେକଗୁଡ଼ିଏ କ୍ଷେତ୍ର ପାଇଁ ବିଭିନ୍ନ ଯୋଜନାର ଘୋଷଣା କରାଯାଇଛି। ଅର୍ଥମନ୍ତ୍ରୀ ବଜେଟ୍‍ରେ କୃଷି କ୍ଷେତ୍ର ପାଇଁ ବଡ଼ ଘୋଷଣା କରିଛନ୍ତି। କୃଷି ସହ ଜଡିତ ଷ୍ଟାର୍ଟଅପ୍‍କୁ ପ୍ରାଥମିକତା ଦିଆଯାଇଥିବାବେଳେ ଯୁବଉଦ୍ୟୋଗୀମାନଙ୍କୁ କୃଷି ଷ୍ଟାର୍ଟଅପ୍‍ ପାଇଁ ଏକ କୃଷି ତ୍ୱରାନ୍ୱିତ ପାଣ୍ଠି ଆରମ୍ଭ କରାଯିବା ନେଇ ସେ ଘୋଷଣା କରିଛନ୍ତି। ଏଥିରେ ପଶୁପାଳନ, ଦୁଗ୍‍ଧ ଏବଂ ମତ୍ସ୍ୟଚାଷ ବୃଦ୍ଧି ନିମନ୍ତେ କୃଷି ଋଣ ୨୦ ଲକ୍ଷ କୋଟି ଟଙ୍କାକୁ ବୃଦ୍ଧି କରାଯାଇଛି। ଅର୍ଥମନ୍ତ୍ରୀ ଆଜି ବଜେଟ୍‍ରେ କୃଷି ପ୍ରୋତ୍ସାହନ ନୀତି ଘୋଷଣା କରି ବାର୍ଷିକ କୃଷି ଋଣ ପରିମାଣ ୧୧.୧ ପ୍ରତିଶତ ବୃଦ୍ଧି ପାଇବ ବୋଲି କହିଛନ୍ତି। ସରକାରୀ ଏବଂ ଘରୋଇ ଭାଗୀଦାରୀରେ କପା ଚାଷ ପାଇଁ ବଜେଟ୍‍ରେ ବ୍ୟବସ୍ଥା କରାଯାଇଛି।

ଆଜି ଆଗତ ସାଧାରଣ ବଜେଟ୍‍ରେ ଆୟକର ରିହାତି ସୀମା ୫ ଲକ୍ଷରୁ ୭ ଲକ୍ଷ ଟଙ୍କାକୁ ବୃଦ୍ଧି କରାଯାଇଛି। ୩ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବାର୍ଷିକ ଆୟ ନିମନ୍ତେ କୌଣସି ଆୟକର ଦେବାକୁ ପଡିବ ନାହିଁ। ୩ ଲକ୍ଷ ରୁ ୬ ଲକ୍ଷ ଯାଏଁ ୫ ପ୍ରତିଶତ, ୬ରୁ ୯ ଲକ୍ଷ ଯାଏଁ ୧୦ ପ୍ରତିଶତ, ୯ ରୁ ୧୨ ଲକ୍ଷ ଯାଏଁ ୧୫ ପ୍ରତିଶତ, ୧୨ ରୁ ୧୫ ଲକ୍ଷ ଯାଏ ୨୦ ପ୍ରତିଶତ ଏବଂ ୧୫ ଲକ୍ଷ ଟଙ୍କାରୁ ଅଧିକ ଆୟ ନିମନ୍ତେ ୩୦ ପ୍ରତିଶତ ଆୟକର ଦେବାକୁ ପଡିବ।

ଚଳିତ ବଜେଟ୍‍ର ରେଳବାଇ ପାଇଁ ୨ ଲକ୍ଷ ୪୦ ହଜାର କୋଟି ଟଙ୍କା ଘୋଷଣା କରାଯାଇଛି। ରେଳବାଇ ପାଇଁ ଏହା ବର୍ତ୍ତମାନ ଯାଏ ସବୁଠାରୁ ଅଧିକ ଆବଂଟନ ଅଟେ। ଏହା ୨୦୧୩-୧୪ ରେ ରେଳବାଇକୁ ପ୍ରଦାନ କରାଯାଇଥିବା ରାଶିର ପାଖାପାଖି ୯ ଗୁଣ ଅଟେ। ଏକଲବ୍ୟ ସ୍କୁଲ ପାଇଁ ୩୮ ହଜାର ୮ଶହ ନୂଆ ଶିକ୍ଷକଙ୍କୁ ନିଯୁକ୍ତି ଦିଆଯିବାକୁ ବ୍ୟବସ୍ଥା କରାଯାଇଛି। ସେହିଭଳି ୧୫୭ଟି ନର୍ସିଂ କଲେଜ ସ୍ଥାପନ ହେବ। ଏହାବ୍ୟତୀତ ଏହି ବଜେଟରେ ଦେଶର ସହରାଞ୍ଚଳଗୁଡ଼ିକର ବିକାଶ ଲାଗି ସହରାଞ୍ଚଳ ଭିତ୍ତିଭୂମି ଉନ୍ନୟନ ଫଣ୍ଡ ପାଇଁ ୧୦ ହଜାର କୋଟି ଟଙ୍କା ଆବଣ୍ଟନ କରାଯାଇଛି। କୃତ୍ରିମ ବୁଦ୍ଧିମତ୍ତା ବା ଆର୍‍ଟିଫିସିଆଲ୍‍ ଇଣ୍ଟେଲିଜେନ୍‍ସ୍‍ର ବିକାଶର ଲାଗି ଦେଶରେ ୩ଟି ଉତ୍କର୍ଷ କେନ୍ଦ୍ର ସ୍ଥାପନ ଲାଗି ବଜେଟ୍‍ରେ ବ୍ୟବସ୍ଥା ହୋଇଛି। କେନ୍ଦ୍ର ସରକାରଙ୍କ ଆକାଂକ୍ଷୀ ଜିଲ୍ଳା ଯୋଜନା ଭଳି ଦେଶର ୫ଶହଟି ବ୍ଲକ୍‍କୁ ଆକାଂକ୍ଷୀ ବ୍ଲକ ଭାବେ ବିକାଶ କରାଇବା ଲାଗି ଏଥିରେ ଯୋଜନା ରହିଛି । ଅନ୍ୟପକ୍ଷରେ ଦେଶର ଅବଲୁପ୍ତ ପ୍ରାୟ ଜନଜାତିଙ୍କ ବିକାଶ ଲାଗି ଜନଜାତି ଉନ୍ନୟନ ମିଶନ ଆରମ୍ଭ କରିବାକୁ ଘୋଷଣା କରାଯାଇଛି। ଏଥିପାଇଁ ଆସନ୍ତା ୩ ବର୍ଷ ମଧ୍ୟରେ ୧୫ ହଜାର କୋଟି ଟଙ୍କା ଖର୍ଚ୍ଚ କରିବା ଲାଗି ବ୍ୟବସ୍ଥା ରହିଛି।

ଏହି ବଜେଟ୍‍ରେ ଦେଶରେ ୫୦ଟି ନୂଆ ବିମାନବନ୍ଦର ଏବଂ ହେଲିପୋଟ ପ୍ରତିଷ୍ଠା କରାଯିବା ସହ କେ.ୱାଇ.ସି ବ୍ୟବସ୍ଥାକୁ ସରଳୀକରଣ କରାଯିବାକୁ ଘୋଷଣା କରାଯାଇଛି। ଦେଶରେ ତୃତୀୟ ପର୍ଯ୍ୟାୟ ଇ-କୋର୍ଟ ବ୍ୟବସ୍ଥା ଲାଗି ୭ ହଜାର କୋଟି ଟଙ୍କା ବଜେଟ୍‍ରେ ବ୍ୟୟ ବରାଦ କରାଯାଇଥିବାବେଳେ ଫାଇଭ୍‍-ଜିର ବିକାଶ ଲାଗି ୧୦୦ଟି ଇଂଜିନିୟରିଂ ପ୍ରତିଷ୍ଠାନରେ ସ୍ୱତନ୍ତ୍ର ଲାବ୍‍ ପ୍ରତିଷ୍ଠା ପାଇଁ ଅର୍ଥ ଆବଣ୍ଟନ କରାଯାଇଛି । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ତାଙ୍କ ବଜେଟ୍‍ ଅଭିଭାଷଣରେ କହିଛନ୍ତି, ଦେଶର ଅର୍ଥନୀତିର ଭବିଷ୍ୟତ ଉଜ୍ୱଳ ।

ତେବେ ଚଳିତ ଆର୍ଥିକ ବର୍ଷରେ ଅର୍ଥନୀତିର ବୃଦ୍ଧି ଦର ୭ ପ୍ରତିଶତ ରହିବା ସେ ଅନୁମାନ କରିଛନ୍ତି। ସେ କହିଛନ୍ତି, କରୋନା ମହାମାରୀ ସମୟରେ ଆମେ ୨୮ ମାସ ଯାଏ ଦେଶର ୮୦ କୋଟିରୁ ଅଧିକ ଲୋକଙ୍କୁ ପ୍ରଧାନମନ୍ତ୍ରୀ ଗରୀବ କଲ୍ୟାଣ ଯୋଜନାରେ ନିଶୁଳ୍କ ଖାଦ୍ୟ ଯୋଗାଣ କରିବା ଓ କେହି ଯେପରି ଭୋକରେ ନ ରହିବେ ତାହା ସୁନିଶ୍ଚିତ କରିଥିଲେ । ଏହି ଯୋଜନାରେ ୨ ଲକ୍ଷ କୋଟି ଟଙ୍କା ଭାର କେନ୍ଦ୍ର ସରକାର ବହନ କରିଛନ୍ତି । ସେ କହିଛନ୍ତି, କେନ୍ଦ୍ର ସରକାର ୨୦୨୪ ପରଠାରୁ ସମସ୍ତ ନାଗରିକଙ୍କ ଜୀବନର ଗୁଣବତ୍ତାରେ ସୁଧାର ଓ ଗରିମାପୂର୍ଣ ଜୀବନକୁ ସୁନିଶ୍ଚିତ କରିଛନ୍ତି । ଗତ ୯ ବର୍ଷରେ ଭାରତୀୟ ଅର୍ଥନୀତି ବିଶ୍ୱର ପଞ୍ଚମ ବୃହତ୍‍ ଅର୍ଥନୀତିରେ ପରିଣତ ହୋଇଛି ।

ତାଙ୍କ ଅଭିଭାଷଣରେ ଅର୍ଥମନ୍ତ୍ରୀ ଶ୍ରୀମତୀ ସୀତାରମଣ ସମାବେଶୀ ବୃଦ୍ଧି, ସବୁଜ ବିକାଶ, ଯୁବ ଶକ୍ତି, ବିତ୍ତୀୟ କ୍ଷେତ୍ର, ଅନ୍ତିମ ସୀମା ଯାଏ ପହଂଚିବା, ମୌଳିକ ଭିତ୍ତିଭୂମିର ବିକାଶ ଓ କ୍ଷମତାର ସମ୍ପୂର୍ଣ ବ୍ୟବହାର ଆଦି ସମ୍ପର୍କରେ କହିଛନ୍ତି । ଚଳିତ ବଜେଟ୍‍ରେ କୃଷି କ୍ଷେତ୍ରକୁ ତ୍ୱରାନ୍ୱିତ କରିବା ଲାଗି ଅଲଗା ପାଣ୍ଠି ପ୍ରତିଷ୍ଠା ସହ ନୂଆ ଜ୍ଞାନକୌଶଳ ଉପରେ ଗୁରୁତ୍ୱ ଦିଆଯାଇଥିବା ସେ କହିଛନ୍ତି । ପର୍ଯ୍ୟଟନ କ୍ଷେତ୍ରରେ ରହିଥିବା ଅପାର ସମ୍ଭାବନା ବିଷୟରେ ଅର୍ଥମନ୍ତ୍ରୀ ପ୍ରକାଶ କରିଛନ୍ତି ।

ଦେଶରେ ଖୁବ୍‍ ଶୀଘ୍ର ମିଲେଟ ସଂସ୍ଥାନର ଗଠନ କରାଯାଇ ଏହାର ଉତ୍ପାଦନ ବୃଦ୍ଧିଲାଗି ଚାଷୀମାନଙ୍କୁ ସମସ୍ତ ସହାୟତା ଯୋଗାଇ ଦିଆଯିବ ବୋଲି ସେ କହିଛନ୍ତି। ମିଲେଟ୍‍କୁ ପ୍ରୋତ୍ସାହନ ଦେବାପାଇଁ ଶ୍ରୀଅନ୍ନ ଯୋଜନା ଆରମ୍ଭ କରାଯିବ। ଚଳିତ ସାଧାରଣ ବଜେଟରେ ପିଲା ଓ ଯୁବ ଶକ୍ତିଙ୍କ ପାଇଁ ନ୍ୟାସନାଲ ଡିଜିଟାଲ ଲାଇବ୍ରେରୀ ସ୍ଥାପନ କରାଯିବାକୁ ଘୋଷଣା କରାଯାଇଛି ।

ଆସନ୍ତୁ ଜାଣିବା ବଜେଟ୍‍ରେ ଜନସାଧାରଣଙ୍କ ପାଇଁ କ’ଣ ଶସ୍ତା ହୋଇଛି।ଶସ୍ତା: ସାଇକେଲ, ଷ୍ଟିଲ୍‍, ଟିଭି, ମୋବାଇଲ ଫୋନ୍‍, ଲାବ୍‍ରେ ତିଆରି ହୀରା, କ୍ୟାମେରା ଲେନ୍ସ, ଇଲେକ୍ଟ୍ରିବାହନ।ମହଙ୍ଗା: ସିଗ୍‍ରେଟ୍‍, କମ୍ପାଉଣ୍ଡ ରବର, ସୁନା, ପ୍ଲାଟିନମ୍‍, କିଚେନ୍‍ ଇଲେକ୍ଟ୍ରିକ୍‍ ଚିମିନି, ପୋଷାକ, ହେଡ୍‍ଫୋନ୍‍।

ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଦ୍ବାରା ଆଗତ ୨୦୨୩-୨୪ ବଜେଟକୁ ନେଇ ମିଶ୍ରିତ ପ୍ରତିକ୍ରିୟା ପ୍ରକାଶ ପାଇଛି।କଂଗ୍ରେସ ଦଳ ବଜେଟକୁ ସ୍ବାଗତ କରିଛି। ଟିକସ ହ୍ରାସ ସହ ଜଡିତ କେନ୍ଦ୍ର ବଜେଟ୍ ଘୋଷଣାକୁ ଦଳ ପ୍ରଶଂସା କରିଛି। ଦଳର ସାଂସଦ କାର୍ତ୍ତି ଚିଦାମ୍ବରମ୍ ସଂସଦ ବାହାରେ ଗଣମାଧ୍ୟମ ସହ କଥାବାର୍ତ୍ତା ବେଳେ କହିଛନ୍ତି ଯେ ଟିକସ ହ୍ରାସ ଏକ ସ୍ୱାଗତଯୋଗ୍ୟ ପଦକ୍ଷେପ। ଅନ୍ୟପକ୍ଷରେ ଦଳର ବରିଷ୍ଠ ସାଂସଦ ଶଶି ଥରୁର ମଧ୍ୟ କହିଛନ୍ତି ଯେ କେନ୍ଦ୍ର ବଜେଟରେ କିଛି ଭଲ ବ୍ୟବସ୍ଥା ରହିଛି। ତେବେ ଏଥିରେ ମନରେଗା, ବେକାରୀ ଏବଂ ମୁଦ୍ରାସ୍ଫୀତି ବିଷୟରେ କୌଣସି ଉଲ୍ଲେଖ ନାହିଁ।

ଟିଏମସି ସାଂସଦ ଶତୃଘ୍ନ ସିହ୍ନା କେନ୍ଦ୍ର ବଜେଟକୁ ସମାଲୋଚନା କରି କହିଛନ୍ତି। ସେ କହିଛନ୍ତି ଯେ ଏଥିରେ ମହିଳା, କୃଷକ ଏବଂ ଯୁବକମାନଙ୍କ ପାଇଁ କୌଣସି ବିଶେଷ ବ୍ୟବସ୍ଥା କରାଯାଇ ନାହିଁ । ବଜେଟରେ ପେଟ୍ରୋଲିୟମ ଜାତ ଦ୍ରବ୍ୟର ମୂଲ୍ୟ ବୃଦ୍ଧି ଏବଂ ଟଙ୍କାର ମୂଲ୍ୟ ହ୍ରାସ ବିଷୟରେ ଆଲୋଚନା ହୋଇନାହିଁ ବୋଲି ସେ କହିଛନ୍ତି।

ଡିଏମକେ ସାଂସଦ ଦୟାନିଧି ମାରାନ ବଜେଟକୁ ନିରାଶାଜନକ ବୋଲି କହିଛନ୍ତି । ସେ କହିଛନ୍ତି ଯେ ନିର୍ବାଚନ ହେବାକୁଥିବା ରାଜ୍ୟଗୁଡିକ ପାଇଁ ବଜେଟରେ ଏହି ସବୁ ଯୋଜନା ଘୋଷଣା କରାଯାଇଛି।

ଆସୋଚାମ : ଆସୋଚାମ ସଭାପତି ସୁମନ୍ତ ସିହ୍ନା ମଧ୍ୟ କେନ୍ଦ୍ର ବଜେଟକୁ ସ୍ୱାଗତ କରିଛନ୍ତି । ଶ୍ରୀ ସିହ୍ନା କହିଛନ୍ତି ଯେ ବଜେଟରେ କରାଯାଇଥିବା ଘୋଷଣା ବ୍ୟବସାୟ ସୁଗମତାକୁ ଏବଂ ଏମଏସଏମଇ କ୍ଷେତ୍ରକୁ ସାହାଯ୍ୟ କରିବ।

ଫିକି : ଫେଡେରେସନ୍ ଅଫ୍ ଇଣ୍ଡିଆନ୍ ଚାମ୍ବରସ୍ ଅଫ୍ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରି (ଫିକି) କେନ୍ଦ୍ର ବଜେଟକୁ ସନ୍ତୁଳିତ ଏବଂ ପ୍ରଗତିଶୀଳ ବଜେଟ ଭାବରେ ସ୍ୱାଗତ କରିଛି ଯାହା ସମାବେଶନ ଅଭିବୃଦ୍ଧିକୁ ପ୍ରାଧାନ୍ୟ ଦେଇଛି।

Related posts

ବିଜେଡି ଚାପରେ ଗିରଫ କରାଯାଇଥିବା କହିଲେ ସୁବାସ ପାଣିଗ୍ରାହୀ,ମିଛଟାରେ ଗିରଫ କରାଯାଇଥିବା ମଧ୍ୟ ଅଭିଯୋଗ

Odisha Halchal

ନାବାଳିକା ଶାଳୀ ସହିତ ପୂର୍ବତନ ସରପଞ୍ଚ ଶାରୀରିକ ସମ୍ପର୍କ

Odisha Halchal

ପ୍ରସିଦ୍ଧ ଟିଭି ଆଙ୍କର ଥିଲେ, ଏବେ ରାସ୍ତାକଡ଼ରେ ଖାଦ୍ୟ ପସରା ଧରି ଗ୍ରାହକଙ୍କୁ କରୁଛନ୍ତି ଅପେକ୍ଷା

Odisha Halchal

Leave a Comment