ଅପରାଧଓଡ଼ିଶା ଖବରନ୍ୟୁଜ୍

ମନରେଗାର କାର୍ଯ୍ୟରେ ଦୁର୍ନୀତିକୁ ନେଇ ପ୍ରତିବାଦ

ମନରେଗାର କାର୍ଯ୍ୟରେ ଦୁର୍ନୀତିକୁ ନେଇ ପ୍ରତିବାଦ

ରାୟଗଡା:-ମୁନିଗୁଡା ବ୍ଳକ ଆଜି ଅଖିଳ ଭାରତ କିଶାନ୍ ମଜଦୁର୍ ସଭା (ଏଆଇକେଏମଏସ୍) ମୁନିଗୁଡା ବ୍ଳକ୍ କମିଟି ପକ୍ଷରୁ ବ୍ଳକର ପାତ୍ରଗୁଡା ଓ ଶିବପଦର ଗ୍ରାମ ପଞ୍ଚାୟତରେ ମହାତ୍ମାଗାନ୍ଧୀ ଜାତୀୟ କର୍ମ ନିଯୁକ୍ତି ଯୋଜନାରେ ହୋଇଥିବା ବ୍ୟାପକ ଦୁର୍ନୀତି ଓ ଅର୍ଥ ବାଟମାରଣା ବିରୋଧରେ ଏକ ଗଣଧାରଣା ଅନୁଷ୍ଠିତ ହୋଇ ଯାଇଛି । ପାତ୍ରଗୁଡା ପଞ୍ଚାୟତର ଖାଲଗୁଡା, ବୁର୍ଜୁଗୁଡା, ପାତ୍ରଗୁଡା, ଭୂରଷିଖମାର, ଜେମ୍ଵରାଗୁଡା, ଛେଳିଆନାଳ, କରଡାବନ୍ଧ ଆଦି ଗାଁ ମାନଙ୍କରେ ମନରେଗା ଯୋଜନାରେ ବହୁମୁଖୀ ପୋଖରୀ, ଗାର୍ଡ ଓ୍ଵାଲ, ରାସ୍ତା ଓ ଜମି ଉନ୍ନତିକରଣ ପାଇଁ ଆସିଥିବା ଲକ୍ଷ ଲକ୍ଷ ଟଙ୍କାର ଅନୁଦାନକୁ ସ୍ଥାନୀୟ ଶାସକ ଦଳର କୁଜିନେତା ଓ ସରକାରୀ ଅଧିକାରୀ ମିଶି ହଡପ କରିଥିବା ଅଭିଯୋଗ ହୋଇଛି ।

ଅନେକ ସ୍ଥାନରେ ସ୍ଥାନୀୟ ଲୋକଙ୍କ ସମ୍ପୂର୍ଣ୍ଣ ଅଜାଣତରେ ଏପରିକି କୌଣସି କାମ ନହୋଇ ଲକ୍ଷ ଲକ୍ଷ ଟଙ୍କାର ମିଥ୍ୟା ବିଲ୍ କରି ସରକାରଙ୍କ ଅର୍ଥକୁ ଆତ୍ମସାତ କରିଛନ୍ତି । ଜମି ମରାମତି ବା ଉନ୍ନତି ପାଇଁ ଟଙ୍କା ଆସି ଖର୍ଚ୍ଚ ହେବାର ବିଲ୍ ହୋଇଥିଲେ ମଧ୍ୟ ସମ୍ପୃକ୍ତ ଜମିର ମାଲିକ ବା ହୀତାଧୀକାରୀ ସେକଥା ଜାଣିନାହାନ୍ତି । କିଛି ପୋଖରୀରେ ଗୋଟିଏ କାମକୁ ଦେଖାଇ ଚାରି ଚାରି ଥର ବିଲ କରିଥିବା ଦେଖିବାକୁ ମିଳିଛି ।

ମନରେଗା କାମରେ ହୋଇଥିବା ଏହି ଦୁର୍ନୀତି ଓ ସରକାରୀ ଅର୍ଥ ଆତ୍ମସାତର ନିରପେକ୍ଷ ତଦନ୍ତ ଓ ଦୋଷୀ ବ୍ୟକ୍ତିମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରି ଗତ ତିନି ମାସ ମଧ୍ୟରେ ସ୍ଥାନୀୟ ଗ୍ରାମବାସୀମାନେ ଉଭୟ ବ୍ଳକ୍ ଓ ଜିଲ୍ଲା ପ୍ରଶାସନକୁ ଜଣାଇଥିଲେ ମଧ୍ୟ ସେମାନଙ୍କ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଇ ନାହିଁ ବୋଲି ଗ୍ରାମବାସୀମାନେ ଅଭିଯୋଗ କରିଛନ୍ତି । ଏଭଳି ପରିସ୍ଥିତିରେ ଅଖିଳ ଭାରତ କିଶାନ୍ ମଜଦୁର୍ ସଭା ପକ୍ଷରୁ ଆଜି ଠାରୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ଗଣଧାରଣା କରିବାକୁ ଘୋଷଣା କରାଯାଇଥିଲା । ଆଜି ପୂର୍ବାହ୍ନରେ ସଂଗଠନର ଶତାଧିକ କର୍ମୀ ଓ ସାଧାରଣ ଜନତା ବ୍ଳକ୍ ଅଫିସ ସମ୍ମୁଖରେ ଧାରଣାରେ ବସିଥିଲେ ।

ପରେ ନିକଟରେ ବଦଳି ହୋଇ ଆସିଥିବା ନୂତନ ବିଡିଓ ଧାରଣାସ୍ଥଳକୁ ଆସି ଲୋକଙ୍କ ଦାବି ଶୁଣିବା ସହ ଆସନ୍ତା ଏକ ମାସ ମଧ୍ୟରେ ଅଭିଯୋଗଗୁଡିକର ତଦନ୍ତ କରି ଦୋଷୀମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପ୍ରତିଶ୍ରୁତି ଦେବା ପରେ ଗଣଧାରଣାକୁ ବର୍ତ୍ତମାନ ପାଇଁ ସ୍ଥଗିତ ରଖାଯାଇଥିଲା ।ଆଜିର ଗଣଧାରଣା କାର୍ଯ୍ୟକ୍ରମରେ କିଶାନ୍ ମଜଦୁର୍ ସଭାର ରାଜ୍ୟ ସଭାପତି ଭାଲଚନ୍ଦ୍ର ଷଡ଼ଙ୍ଗୀ, ବ୍ଳକ୍ ସଭାପତି କନୀନ୍ଦ୍ର ଜାଲିକା, ସମ୍ପାଦକ ନରେଶ ସୁନା, ଉପସଭାପତି ଗଣେଶ ଜାକେସିକା, ଆଦିବାସୀ ନେତା ଜିତୁ ଜାକେସିକା, ପଦ୍ମନାଭ ଚୌଧୁରୀ, ପ୍ରଦୀପ ହିଆଲ, କମଳ ହିଆଲ, ବଳରାମ କୁସଲିଆ ପ୍ରମୁଖ ଯୋଗ ଦେଇଥିଲେ ।

Related posts

ଜୀବନ ପାଇଁ ଦୁଇ ବୁନ୍ଦା

Odisha Halchal

ମରଣଯନ୍ତା ପାଲଟିଛି ପୀଠମାରେନ ପୋଲ

Odisha Halchal

ମାନସ ସ୍ୱାଇଁକୁ ଅପହରଣ କରି ହତ୍ୟା କରିଥିବା ସ୍ୱୀକାର କଲା ମୁଖ୍ୟ ଅଭିଯୁକ୍ତ

Odisha Halchal

Leave a Comment