ଅପରାଧଓଡ଼ିଶା ଖବରନ୍ୟୁଜ୍

ଆଜୀବନ କାରାଦଣ୍ଡରେ ଦଣ୍ଡିତ ପୂର୍ବତନ ବିଧାୟକ

ଆଜୀବନ କାରାଦଣ୍ଡରେ ଦଣ୍ଡିତ ପୂର୍ବତନ ବିଧାୟକ

ଭୁବନେଶ୍ବର(ବ୍ୟୁରୋ :ଓଡିଶା ହାଲଚାଲ) :- ପତ୍ନୀଙ୍କୁ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ ରାୟଗଡ଼ା ଜିଲ୍ଲା ଗୁଣୁପୁର ନିର୍ବାଚନମଣ୍ଡଳୀର ପୂର୍ବତନ ବିଧାୟକ ରାମମୂର୍ତ୍ତି ଗମାଙ୍ଗୋଙ୍କୁ ଆଜି ଆଜୀବନ କାରାଦଣ୍ଡରେ ଦଣ୍ଡିତ କରାଯାଇଛି। ସ୍ବତନ୍ତ୍ର କୋର୍ଟ ତଥା ଅତିରିକ୍ତ ଜିଲ୍ଲା ଦୌରାଜଜ୍-୩ ସସ୍ମିତା ପାଢ଼ୀ ଏହି ଦଣ୍ଡାଦେଶ ଶୁଣାଇଛନ୍ତି। ଆଇପିସି ଦଫା-୩୦୨(ହତ୍ୟା)ରେ ଆଜୀବନ କାରାଦଣ୍ଡ ଓ ୫୦ ହଜାର ଟଙ୍କା ଜରିମାନାରେ ଦଣ୍ଡିତ କରାଯାଇଛି। ଜରିମାନା ଅନାଦେୟ ଅଧିକ ବର୍ଷେ ଜେଲ୍ ଦଣ୍ଡ ଭୋଗିବାକୁ ପଡ଼ିବ ବୋଲି କୋର୍ଟ କହିଛନ୍ତି। ସେହିପରି ଦଫା-୨୦୧(ପ୍ରମାଣ ନଷ୍ଟ କରିବା)ରେ ତିନି ବର୍ଷ ଜେଲ୍ ଦଣ୍ଡାଦେଶ ଓ ୧୦ ହଜାର ଟଙ୍କା ଜରିମାନାରେ ଦଣ୍ଡିତ କରାଯାଇଛି। ଜରିମାନା ଅନାଦେୟ ଅଧିକ ୬ ମାସ ଜେଲ ଦଣ୍ଡ ଭୋଗିବାକୁ ପଡ଼ିବ। ସ୍ବତନ୍ତ୍ର ସରକାରୀ ଓକିଲ ରଶ୍ମି ରଞ୍ଜନ ବ୍ରହ୍ମା
ଏହିସୂଚନା ଦେଇଛନ୍ତି। ଏହି ଦୁଇଟି ଯାକ ଦଣ୍ଡ ଏକାସାଙ୍ଗରେ ଲାଗୁ ହେବ।

ରାଜ୍ୟରେ ଏମପି, ଏମ୍‌ଏଲ୍‌ଏଙ୍କ ମାମଲା ଆଦିର ତ୍ବରିତ ବିଚାର ପାଇଁ ସ୍ବତନ୍ତ୍ର କୋର୍ଟ ପ୍ରତିଷ୍ଠା ହେବା ପରେ ଏହା ପ୍ରଥମ ଦଣ୍ଡାଦେଶ। ଦଣ୍ଡାଦେଶ ପରେ ଶ୍ରୀ ଗମାଙ୍ଗୋଙ୍କୁ ଝାରପଡ଼ା ଜେଲ ପଠାଇ ଦିଆଯାଇଛି। ଜେଲର ୬ ନମ୍ବର କଏଦୀ ଵାର୍ଡରେ ତାଙ୍କୁ ରଖାଯାଇଛି। ସେଠାରେ ସେ ବନ୍ଦୀ ଜୀବନ ବିତାଇବେ।୧୯୯୫ ଅଗଷ୍ଟ ୨୯ ତାରିଖ ଥିଲା ଗଣେଶ ପୂଜା। ପୂରା ରାଜଧାନୀ ଉତ୍ସବ ମୁଖର ଥିବା ବେଳେ ସକାଳ ପ୍ରାୟ ୧୦ଟା ୪୫‌ରେ ଶ୍ରୀ ଗମାଙ୍ଗୋ ଖାରବେଳନଗର ଥାନାରେ ପହଞ୍ଚି ଅଭିଯୋଗ କରିଥିଲେ ଯେ ସେ ରହୁଥିବା ଏମ୍‌ଏଲ୍‌ଏ କଲୋନି କ୍ବାର୍ଟର୍ସ ନଂ-ଡିଏସ୍-୧୮/୧ର ବାଥରୁମ୍‌ରେ ତାଙ୍କ ପତ୍ନୀ ଶଶିରେଖା ଗମା‌ଙ୍ଗୋଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ପଡ଼ିଛି। ପତ୍ନୀ ଗର୍ଭବତୀ ଥିବାରୁ ସେ ତାଙ୍କୁ ମର୍ଣ୍ଣିଂଵାକ୍‌ରେ ଯିବା ପାଇଁ ପରାମର୍ଶ ଦେଉଥିଲେ। ଏହାକୁ ନେଇ ସେମାନଙ୍କ ମଧ୍ୟରେ ବିଭିନ୍ନ ସମୟରେ କଳହ ହେଉଥିଲା। ଘଟଣା ଦିନ ସକାଳେ ସେମାନଙ୍କ ଭିତରେ ପାଟିତୁଣ୍ଡ ହୋଇଥିଲା। ଶଶିରେଖା ବାଥରୁମ୍‌ରେ ନିଜ ଦେହରେ କିରାସିନି ଢାଳି ନିଆଁ ଲଗାଇ ଦେଇଥିଲେ। ଚିତ୍କାର ଶୁଣି ସେ ଆସିବା ବେଳକୁ ତାଙ୍କର ଅର୍ଦ୍ଧଦଗ୍ଧ ମୃତଦେହ ଦେଖିବାକୁ ପାଇଥିଲେ।

ଶଶିରେଖା ଶ୍ରୀ ଗମାଙ୍ଗୋଙ୍କର ଦ୍ବିତୀୟ ପତ୍ନୀ ହୋଇଥିବା ବେଳେ ବିଭିନ୍ନ କାରଣକୁ ନେଇ ସେମାନଙ୍କ ମଧ୍ୟରେ କଳହ ଲାଗି ରହୁଥିଲା ବୋଲି ପୁଲିସ ତଦନ୍ତ ବେଳେ ଜାଣିବାକୁ ପାଇଥିଲା। ଅତ୍ମହତ୍ୟା ନୁହେଁ, ଏହା ହତ୍ୟାକାଣ୍ଡ ଜଣାପଡ଼ିବା ପରେ ଶ୍ରୀ ଗମାଙ୍ଗୋଙ୍କୁ ପୁଲିସ ଗିରଫ କରି ଜେଲ୍ ପଠାଇଥିଲା। ପ୍ରାୟ ଦୁଇ ମାସ ଜେଲ୍‌ରେ ରହିବା ପରେ ସେହିବର୍ଷ ନଭେମ୍ବର ୧ରେ ସେ ଜାମିନ୍‌‌ରେ ମୁକୁଳିଥିଲେ। ଏହା ପରେ ମାମଲାର ଶୁଣାଣି ଚାଲିଥିଲେ ମଧ୍ୟ ଅନେକ ସାକ୍ଷୀ ପ୍ରଭାବିତ ହୋଇ ସାରିଥିଲେ। ସେହିପରି ରାଜ୍ୟର ଏମପି/ଏମଏଲ୍‌ଏଙ୍କ ବିରୋଧରେ ରୁଜୁ ହେଉଥିବା ମାମଲାର ଶୁଣାଣି ଲାଗି ଭୁବନେଶ୍ବରଠାରେ ସ୍ବତନ୍ତ୍ର କୋର୍ଟ ସ୍ଥାପନ ହେବା ପରେ ମାମଲା ସେଠାକୁ ସ୍ଥାନାନ୍ତର ହୋଇଥିଲା। ଏହା ପରେ ପ୍ରାୟ ବର୍ଷେ ଧରି ଶୁଣାଣି ଚାଲିଥିବା ବେଳେ ଆଜି ଅଭିଯୁକ୍ତ ଶ୍ରୀ ଗମାଙ୍ଗୋ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ପତ୍ନୀ ଶଶିରେଖାଙ୍କୁ ହତ୍ୟା କରିବା ପରେ କିରାସିନି ଢାଳି ଜାଳିଦେବା ପାଇଁ ଉଦ୍ୟମ କରିଥିଲେ। ପ୍ରମାଣ ନଷ୍ଟ ପାଇଁ ସେ ଏଭଳି କରିଥିବା କୋର୍ଟରେ ପ୍ରମାଣିତ ହୋଇଥିଲା। ସାକ୍ଷୀ ପ୍ରଭାବିତ ହୋଇଥିବାରୁ ଡାକ୍ତର, ତଦନ୍ତକାରୀ ଅଧିକାରୀ ଓ ସାଇଣ୍ଟିଫିକ୍ ଅଧିକାରୀଙ୍କ ବୟାନ ଗୁରୁତ୍ବପୂର୍ଣ୍ଣ ସାବ୍ୟସ୍ତ ହୋଇଥିଲା। ସେହିପରି ଶବ ବ୍ୟବଚ୍ଛେଦ ରିପୋର୍ଟ, ପାରିପାର୍ଶ୍ବିକ ପରିସ୍ଥିତି ଓ ସାଇଣ୍ଟିଫିକ୍ ରିପୋର୍ଟ ମଧ୍ୟ ଗୁରୁତ୍ବପୂର୍ଣ୍ଣ ଥିଲା। ଏହି ମାମଲାରେ ୧୧ ଜଣ ସାକ୍ଷୀ ଓ ୧୫ଟି ଦସ୍ତାବିଜ୍ ଉପସ୍ଥାପନ କରାଯାଇଥିଲା। ଗତ ୨୪ ତାରିଖରେ ତାଙ୍କୁ ଦୋଷୀ ସାବ୍ୟସ୍ତ କରା ଯାଇଥିଲା।

କେମିତି ଫେଲ୍ ମାରିଥିଲା ରାମମୂର୍ତ୍ତିଙ୍କ ଷଡ଼୍‌ଯନ୍ତ୍ର?
ବାଥରୁମ୍ କବାଟ ଭାଙ୍ଗିବା ପରେ ଶଶିରେଖାଙ୍କ ମୃତଦେହ ଦେଖିଥିବା କହିଥିଲେ ରାମମୂର୍ତ୍ତି। କିନ୍ତୁ ବାଥରୁମ୍ କବାଟ ଭାଙ୍ଗି ନ ଥିବା ବେଳେ ସୁରକ୍ଷିତ ଅବସ୍ଥାରେ ରହିଥିଲା। ଝରକା କାଚ ଭାଙ୍ଗିଥିବା ପୁଲିସ ଦେଖିବାକୁ ପାଇଥିଲା। କିନ୍ତୁ ଶଶିରେଖାଙ୍କ ହାତରେ କୌଣସି ଆଘାତ ନ ଥିଲା। ହତ୍ୟା ପରେ ଝରକା କାଚ ଭଙ୍ଗା ଯାଇଥିବା ଜଣାପଡ଼ିଥିଲା। ମୃତ୍ୟୁ ପରେ ଶଶିରେଖାଙ୍କ ଶବରେ କିରାସିନି ଢାଳି ନିଆଁ ଲଗା ଯାଇଥିବା ନେଇ ଫରେନସିକ୍ ଏବଂ ଶବ ବ୍ୟବଚ୍ଛେଦ ରିପୋର୍ଟରୁ ଜଣାପଡ଼ିଥିଲା। ଶଶିରେଖାଙ୍କ ମୁଣ୍ଡ ପଛପଟେ ଗଭୀର ଆଘାତ ଲାଗିଥିଲା। ଧସ୍ତାଧସ୍ତି ବେଳେ ଶଶିରେଖାଙ୍କ ଆଙ୍ଗୁଠିରେ ଖଣ୍ଡିଆ ଦାଗ ରହିଥିଲା। କେବଳ ରାମମୂର୍ତ୍ତି ହିଁ ଘଟଣାସ୍ଥଳରେ ଉପସ୍ଥିତ ଥିଲେ ବୋଲି ପାରିପାର୍ଶ୍ବିକ ପରିସ୍ଥିତି, ସାଇଣ୍ଟିଫିକ୍ ରିପୋର୍ଟରୁ ସ୍ପଷ୍ଟ ହୋଇଥିଲା। ପତ୍ନୀଙ୍କୁ ହତ୍ୟା କରିବା ପରେ ରାମମୂର୍ତ୍ତ ଆତ୍ମହତ୍ୟାର ରୂପ ଦେବା ପାଇଁ ଚେଷ୍ଟା କରିଥିଲେ ବୋଲି କୋର୍ଟରେ ପ୍ରମାଣିତ ହୋଇଥିଲା।

Related posts

୧୫୦୦୦ ଫୁଟ ଉଚ୍ଚତାରେ ଗଣତନ୍ତ୍ର ଦିବସ ପାଳନ

Odisha Halchal

ଓଃ କି ଗରମ୍…ପାଣିରେ ବୁଡି ଯିବା ଟିକେ

Odisha Halchal

ଆଜି ପବିତ୍ର ଉତ୍କଳ ଦିବସ ,ଅତୀତର ସେନାନାୟକଙ୍କ ଅବଦାନକୁ ମନେପକାଇବା ପାଇଁ ଏହି ଦିନଟି ଉତ୍ସର୍ଗୀକୃତ

Odisha Halchal

Leave a Comment