ଋଣ ଚାପରେ ରହିଥିବା ଫ୍ୟୁଚର ଗ୍ରୁପର କମ୍ପାନି ଫ୍ୟୁଚର ଏଣ୍ଟରପ୍ରାଇଜ ଲିମିଟେଡ(ଏଫଇଏଲ୍) ଋଣ ସୁଝିବା ଲାଗି ଏକ ନୂଆ ଯୋଜନା ହାତକୁ ନେବ ବୋଲି ଜଣାପଡିଛି । କମ୍ପାନି ବୀମା କାରବାର ଏହାର ଅଂଶଧନ ବିକ୍ରି କରି ପ୍ରାୟ ୩ ହଜାର କୋଟି ଟଙ୍କା ସଂଗ୍ରହ କରିବାକୁ ଯୋଜନା ରଖିଛି ।
ଏଭଳି ଯୋଜନା ଯଦି ଫଳପ୍ରଦ ହୁଏ ତେବେ କମ୍ପାନି ଦେବାଳିଆ ପ୍ରକ୍ରିୟା ବା ବ୍ୟାଙ୍କରପ୍ସିକୁ ଯିବାରୁ ବଞ୍ଚିଯିବ ବୋଲି ପ୍ରକ୍ରିୟା ସହ ଜଡିତ ଜଣେ ଅଧିକାରି କହିଛନ୍ତି । ଗୁରୁବାର ଫ୍ୟୁଚର ଏଣ୍ଟରପ୍ରାଇଜ ଲିମିଟେଡ ଯୌଥ ଉଦ୍ୟୋଗ ଫ୍ୟୁଚର ଜେନେରାଲି ଇଣ୍ଡିଆ ଇନସ୍ୟୁରାନ୍ସ ଲିମିଟେଡରେ ଜେନେରାଲିକୁ ୨୫% ଅଂଶଧନ ବିକ୍ରି ପ୍ରକ୍ରିୟାକୁ ସମ୍ପୂର୍ଣ୍ଣ କରିଛି । ଏହି ଡିଲ୍ ୧୨୬୬.୦୬ କୋଟି ଟଙ୍କାରେ ହୋଇଛି ।
ଏହା ପରେ ଏହି ବୀମା କମ୍ପାନିରେ ଫ୍ୟୁଚର ଗ୍ରୁପର ୨୪.୯୧% ଅଂଶଧନ ରହିବ । ଆଗାମି ୩୦ରୁ ୪୦ ଦିନ ମଧ୍ୟରେ କମ୍ପାନି ବଳକା ୨୫% ଅଂଶଧନ ମଧ୍ୟ ବିକ୍ରି କରିବାକୁ ଯୋଜନା ରଖିଛି ।
ଏହାବାଦ କମ୍ପାନି ଯୌଥ ଉଦ୍ୟୋଗ ଫ୍ୟୁଚର ଜେନେରାଲି ଲାଇଫ ଇନସ୍ୟୁରାନ୍ସ କମ୍ପାନି ଲିମିଟେଡରେ ରହିଥିବା ୩୩.୩% ଅଂଶଧନ ବିକ୍ରି କରିବ । ଏହା ଦ୍ୱାରା ପ୍ରାୟ ୪୦୦ କୋଟି ଟଙ୍କା କମ୍ପାନି ଜୁଟାଇବ । ଏହା ହେଲେ କିଶୋର ବିୟାନି ସମ୍ପୂର୍ଣ୍ଣ ଭାବେ ବୀମା କାରବାରରୁ ବାହାରିଯିବେ ।
ଏଭଳି ଡିଲ୍ ଗୁଡିକ ଦ୍ୱାରା କମ୍ପାନି ୨୯୫୦ କୋଟି ଟଙ୍କା ସଂଗ୍ରହ କରିବାକୁ ଯୋଜନା ରଖିଛି । ଉଲ୍ଲେଖଯୋଗ୍ୟ, ଫ୍ୟୁଚର ଏଣ୍ଟରପ୍ରାଇଜ ଲିମିଟେଡ କନସୋର୍ଟିୟମ ବ୍ୟାଙ୍କଗୁଡିକୁ ୨,୯୧୧.୫୧ କୋଟି ଟଙ୍କା ପଇଠ କରିବାକୁ ସକ୍ଷମ ହୋଇ ନ ଥିବାରୁ ଏହାର ସମସ୍ୟା ବଢ଼ିଛି ।