ଖେଳଦେଶ ବିଦେଶନ୍ୟୁଜ୍

ବିଶ୍ବକପ୍‌ ପୂର୍ବରୁ ଟ୍ରଫିକୁ ବିଭିନ୍ନ ଦେଶ ଭ୍ରମଣ

ବିଶ୍ବକପ୍‌ ପୂର୍ବରୁ ଟ୍ରଫିକୁ ବିଭିନ୍ନ ଦେଶ ଭ୍ରମଣ

(ବ୍ୟୁରୋ :ଓଡିଶା ହାଲଚାଲ)ଚଳିତ ବର୍ଷ ଭାରତରେ ହେବାକୁ ଥିବା ଆଇସିସି ପୁରୁଷ କ୍ରିକେଟ୍‌ ବିଶ୍ବକପ୍‌ ପାଇଁ ଏକ ଭିନ୍ନ ଢଙ୍ଗରେ ଟ୍ରଫି ଅନାବରଣ କରାଯାଇଛି। ବିଶ୍ବକପ୍‌ ପୂର୍ବରୁ ଟ୍ରଫିକୁ ବିଭିନ୍ନ ଦେଶ ଭ୍ରମଣ କରିବାକୁ ଥିବାରୁ ଏହାର ପ୍ରଥମ ଗସ୍ତ ମହାକାଶକୁ ହୋଇଥିଲା। ମହାକାଶର ଷ୍ଟ୍ରାଟୋସ୍ପିଅରରେ ବିଶ୍ବକପ୍‌ ଟ୍ରଫିକୁ ପ୍ରଦର୍ଶନ କରାଯାଇଥିଲା। ଟ୍ରଫିକୁ ପ୍ରଥମେ ଏକ ବେସ୍ପୋକ ‌ଷ୍ଟ୍ରାଟୋସ୍‌ଫେରିକ୍‌ ବେଲୁନ୍‌ରେ ବନ୍ଧାଯାଇ ମହାକାଶକୁ ପଠାଯାଇଥିଲା। ସମୁ୍ଦ୍ର ପତନଠୁ ୧୨୦, ୦୦୦ ଫୁଟ ଉଚ୍ଚରେ ଥିବା ମହାକାଶର ୪ ସ୍ତର ମଧ୍ୟରୁ ଦ୍ବିତୀୟ ସ୍ତରରେ ଟ୍ରଫି ପହଞ୍ଚିବା ପରେ ସେଠାରୁ ସିଧାସଳଖ ଅହମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମ୍‌ରେ ଏହା ଅବତରଣ କରିଥିଲା।

ମଙ୍ଗଳବାରଠୁ ଟ୍ରଫି ଭାରତର ବିଭିନ୍ନ ସ୍ଥାନ ଭ୍ରମଣ କରିବା ପରେ ଜୁଲାଇ ୧୪ ତାରିଖରେ ନ୍ୟୁଜିଲାଣ୍ଡ ଗସ୍ତ କରିବ। ଚଳିତ ବର୍ଷ ବିଶ୍ବକପ୍‌ ଟ୍ରଫି ବିଭିନ୍ନ ଦେଶ ଭ୍ରମଣ କରିବ। ଭାରତ ପରେ ନ୍ୟୁଜିଲାଣ୍ଡ, ଅଷ୍ଟ୍ରେଲିଆ, ପପୁଆ ନିଉ ଗିନି ବୁଲିବା ପରେ ଟ୍ରଫି ଜୁଲାଇ ୨୨ ଓ ୨୪ ତାରିଖରେ ପୁଣି ଭାରତ ଭ୍ରମଣ କରିବ। ଜୁଲାଇ ୨୫ ତାରିଖରୁ ଆମେରିକା, ୱେଷ୍ଟଇଣ୍ଡିଜ, ପାକିସ୍ତାନ, ଶ୍ରୀଲଙ୍କା, ବାଂଲାଦେଶ, କୁଏତ୍‌, ବାହାରିନ୍‌ର ବିଭିନ୍ନ ସ୍ଥାନ ଭ୍ରମଣ କରିବା ପରେ ଟ୍ରଫି ପୁଣି ଥରେ ସ୍ବାଧୀନତା ଦିବସ ପାଳନ ଅବସରରେ ଭାରତରେ (ଅଗଷ୍ଟ ୧୪ ଓ ୧୫ ତାରିଖ) ପହଞ୍ଚିବ। ଏଠାରୁ ଇଟାଲି, ଫ୍ରାନ୍ସ, ଇଂଲଣ୍ଡ, ମାଲେସିଆ, ଉଗାଣ୍ଡା, ନାଇଜେରିଆ ଓ ଦକ୍ଷିଣ ଆଫ୍ରିକା ବୁଲିବା ପରେ ସେପ୍ଟେମ୍ବର ୪ ତାରିଖରୁ ବିଶ୍ବକପ୍‌ ଆରମ୍ଭ ହେବା ପର୍ଯ୍ୟନ୍ତ ଭାରତରେ ଶେଷ ଭ୍ରମଣ କରିବ। ଟ୍ରଫି ଭ୍ରମଣରୁ ବିଶ୍ବକପ୍‌ର ଅବଗଣନା ପର୍ବ ଆରମ୍ଭ ହୋଇଯାଇଛି।

ବିଭିନ୍ନ ଦେଶ ଭ୍ରମଣ କରିବା ଦ୍ବାରା ଟ୍ରଫିର ନିଜସ୍ବ ଫ୍ୟାନ୍‌ ବେସ୍‌ ଆରମ୍ଭ ହେବ ଏବଂ କୋଟିକୋଟି କ୍ରୀଡ଼ାପ୍ରେମୀ କ୍ରିକେଟ୍‌ ବିଶ୍ବକପ୍‌ ସହ ଯୋଡ଼ି ହୋଇପାରିବେ ବୋଲି ଆଇସିସି ପକ୍ଷରୁ କୁହାଯାଇଛି।ଦିନିକିଆ ବିଶ୍ବକପ୍‌ ଆରମ୍ଭ ହେବାର ୧୦୦ ଦିନ ପୂର୍ବରୁ ଅର୍ଥାତ୍‌ ଜୁନ୍‌ ୨୭ ତାରିଖରେ ଏହାର ସଂପୂର୍ଣ୍ଣ ଖେଳସୂଚୀ ପ୍ରକାଶ ପାଇବ। ଆଇସିସି ପକ୍ଷରୁ ପ୍ରସ୍ତୁତ ହୋଇଥିବା ଚିଠା ସୂଚୀରେ କୌଣସି ପରବର୍ତ୍ତନ ହେବା ସମ୍ଭାବନା ନଥିଲା ବେଳେ ସେମିଫାଇନାଲ୍‌ ସ୍ଥାନକୁ ନେଇ ନିଷ୍ପତ୍ତି ଅଟକିଛି।

ପୂର୍ବରୁ ମୁମ୍ବାଇର ୱାଙ୍ଖଡେ ଏବଂ ଚେନ୍ନାଇର ଚେପକ୍‌ ଷ୍ଟାଡିୟମ୍‌ରେ ସେମିଫାଇନାଲ୍‌ ଖେଳାଯିବା ନେଇ ଚିଠା ସୂଚୀରେ ଦର୍ଶାଯାଇଥିଲା। କିନ୍ତୁ ହଠାତ୍‌ ପୂର୍ଣ୍ଣାଙ୍ଗ ସୂଚୀ ଘୋଷଣା କରାଯିବାର ଗୋଟିଏ ଦିନ ପୂର୍ବରୁ କୋଲକାତାର ଇଡେନ୍‌ ଗାର୍ଡେନ୍‌ର ନାମ ଚର୍ଚ୍ଚାକୁ ଆସିଛି। ପୂର୍ବାଞ୍ଚଳର କୌଣସି ସ୍ଥାନରେ ‌ ଗୋଟିଏ ସେମିଫାଇନାଲ୍‌ ‌କରାଯିବାକୁ ବିସିସିଆଇ ଓ ଆଇସିସି ପ୍ରତିନିଧିମାନେ ସହମତି ହୋଇଛନ୍ତି। ତେଣୁ ଇଡେନ୍‌ ଗାର୍ଡେନ୍‌ସକୁ ଏଥିପାଇଁ ସବୁଠୁ ଯୋଗ୍ୟ ସ୍ଥାନ ଭାବେ ବିବେଚନା କରାଯାଉଛି। ପୂର୍ବରୁ ପାକିସ୍ତାନ ତାହାର ଦୁଇଟି ମ୍ୟାଚ୍‌ରେ ଅଦଳବଦଳ କରିବା ପାଇଁ ଅନୁରୋଧ କରିଥିଲେ ବି ତାହାକୁ ଆଇସିସି ଓ ବିସିସିଆଇ ପକ୍ଷରୁ ପ୍ରତ୍ୟାଖ୍ୟାନ କରାଯାଇଥିଲା। ଇଡେନ ଓ ୱାଙ୍ଖ୍‌‌ଡେ ସେମିଫାଇନାଲ୍‌ ଏବଂ ଅହମଦାବାଦରେ ଫାଇନାଲ୍ ଖେଳାଯିବ ବୋଲି ବିଶ୍ବସ୍ତ ସୂତ୍ରର ସୂଚନା ମିଳିଛି। ମଙ୍ଗଳବାର ଚୂଡାନ୍ତ ସୂଚୀ ଘୋଷିତ‌ ହେଲେ ଏହି ଚିତ୍ର ସ୍ପଷ୍ଟ ହୋଇଯିବ।

Related posts

ହାତୀ ଭାଙ୍ଗିଲା ଘର, ୨ ଗୁରୁତର

Odisha Halchal

ସାମି ଗୀତର ନୂଆ ଭେରାଇଟିର ନାଚ

Odisha Halchal

ଚିଲିକାରେ ଚାଲିଲା ଭସାପୋଲ, ଯାନ୍ତ୍ରିକ ତ୍ରୁଟି କାରଣରୁ ମଝି ଦରିଆରେ ଯାଇଥିଲା ଅଟକି

Odisha Halchal

Leave a Comment