ଦେଶ ବିଦେଶନ୍ୟୁଜ୍

ୟୁକ୍ରେନ ସହ ଯୁଦ୍ଧ କରିବ ରୁଷର ଡଲଫିନ୍‌

ୟୁକ୍ରେନ ସହ ଯୁଦ୍ଧ କରିବ ରୁଷର ଡଲଫିନ୍‌

ରୁଷ-ୟୁକ୍ରେନ ଯୁଦ୍ଧକୁ ଦୀର୍ଘ ୨ ମାସ ବିତିଗଲାଣି। ଏବେବି ଏହି ଯୁଦ୍ଧ ଶାନ୍ତ ପଡିବାର ନା ଧରୁନି। ୟୁକ୍ରେନ୍‌ର ଅଧିକାଂଶ ସହରକୁ ଧ୍ୱଂସ କରିସାରିଲାଣି ରୁଷ। ଏବେ କେବଳ ୟୁକ୍ରେନର ରାଜଧାନୀ କିଭ୍‌କୁ ଦଖଲ କରିବା ବାକି ରହିଛି। ଏହାରି ଭିତରେ ୟୁକ୍ରେନ୍‌ ସହ ଯୁଦ୍ଧ କରିବା ପାଇଁ ନୂଆ ହତିଆର ଆପଣାଇଛି ରୁଷ। ଯୁଦ୍ଧ ମଇଦାନକୁ ଓହ୍ଲାଇଛନ୍ତି ଡଲଫିନ୍‌। ରୁଷ ୟୁକ୍ରେନ୍‌ ସହ ଲଢ଼ିବା ପାଇଁ ଡଲଫିନମାନଙ୍କୁ ଦେଇଛି ମିଲିଟାରୀ ଟ୍ରେନିଂ।

ବ୍ଲାକ୍‌ ସିରେ ଥିବା ସାମରିକ ପ୍ରତିଷ୍ଠାନ ଉପରେ ନଜର ରଖିବା ପାଇଁ ଏହି ପ୍ରଶିକ୍ଷିତ ଡଲଫିନଗୁଡିକୁ ନିୟୋଜିତ କରିଛି ରୁଷ। ଏନେଇ ଆମେରିକାର ୟୁଏସ୍‌ ନାଭାଲ ଇନଷ୍ଟିଚ୍ୟୁଟ୍‌ ସ୍ୟାଟେଲାଇଟ୍‌ ଫଟୋ ଜରିଆରେ ସ୍ପଷ୍ଟ କରିଛି।

ରିପୋର୍ଟ ମୁତାବକ, ରୁଷ ନୌସେନା ସେଭସ୍ତୋପୋଲ୍‌ ବନ୍ଦରର ଏଣ୍ଟ୍ରି ଗେଟ୍‌ରେ ଡଲଫିନ୍‌ମାନଙ୍କୁ ନିୟୋଜିତ କରିଛି। ସେଭସ୍ତୋପୋଲ୍‌ ବନ୍ଦର କ୍ରିମିଆର ଦକ୍ଷିଣ ଭାଗରେ ଅବସ୍ଥିତ, ଯାହାକୁ ରୁଷ ୨୦୦୪ରେ କବ୍‌ଜା କରିନେଇଥିଲା। USNI ସାଟେଲାଇଟ୍ ଚିତ୍ରର ଅନାଲିଟିକ୍‌ ଅନୁଯାୟୀ, ଫେବ୍ରୁଆରୀରେ ୟୁକ୍ରେନ ଉପରେ ଆକ୍ରମଣ ଆରମ୍ଭରୁ ରୁଷ ଡଲଫିନର ଦୁଇଟି ବାଟାଲିୟନକୁ ତା’ର ନାଭାଲ ବେସ୍‌କୁ ପଠାଇଥିଲା।

ସୂଚନା ମୁତାବକ, ମିଲିଟାରୀ ଦ୍ୱାରା ଟ୍ରେନିଂ ଦିଆଯାଇଥିବା ଏହି ଡଲଫିନଗୁଡିକ ରୁଷ ନାଭାଲ ବେସ୍‌ର ଏଣ୍ଟ୍ରି ପଏଣ୍ଟକୁ ଜଗି ରହିଛନ୍ତି। କୌଣସି ବି ଜାହାଜ, ବୁଡ଼ାଜାହାଜ କିମ୍ବା ଯୁଦ୍ଧ ଜାହାଜ ଏହି ସ୍ଥାନରୁ ହିଁ ରୁଷରେ ପ୍ରବେଶ କରିପାରିବ। ସେହିପରି ରୁଷର ଆଣବିକ ବୁଡ଼ାଜାହାଜ ଏବଂ ଯୁଦ୍ଧ ଜାହାଜ ସବୁବେଳେ ଏଠାରେ ଉପସ୍ଥିତ ଥାଏ, ଏଥିଯୋଗୁଁ ଡଲଫିନ୍ର ମୁତୟନ ଅଧିକ ଗୁରୁତ୍ୱପୂର୍ଣ୍ଣ।

ସୋଭିଏତ ସଂଘ ସମୟରୁ ହିଁ ରୁଷ ଡଲଫିନ୍‌ମାନଙ୍କୁ ମିଲିଟାରୀ ଟ୍ରେନିଂ ଦେଇଆସୁଛି। ଏଥିପାଇଁ ଶୀତଳ ଯୁଦ୍ଧ ସମୟରେ ଏକ ବିଶେଷ ଟେକ୍‌ନିକ୍‌ ବିକଶିତ କରାଯାଇଥିଲା। ଡଲଫିନ୍‌ମାନେ ପାଣି ଭିତରେ ଶତ୍ରୁ ଟାର୍ଗେଟ୍‌ର ଶବ୍ଦ ଓ ରେଞ୍ଜକୁ ଚିହ୍ନଟ କରିପାରନ୍ତି। ରୁଷ ସେନା ଏଭଳି ଏକ ଟେକ୍‌ନିକ୍‌ ତିଆରି କରିଛି, ଯାହା ସାହାଯ୍ୟରେ ଡଲଫିନ୍‌ର ଗତିବିଧି ସିଗ୍‌ନାଲରେ ବଦଳି ଯାଏ ଏବଂ ସୈନ୍ୟମାନେ ଆଲର୍ଟ ହୋଇଯାଆନ୍ତି।

କେବଳ ରୁଷ ନୁହେଁ ଆମେରିକା ଏବଂ ୟୁକ୍ରେନ ଭଳି ଦେଶ ମଧ୍ୟ ଡଲଫିନ୍‌କୁ ମିଲିଟାରୀ ଟ୍ରେନିଂ ଦେଉଛନ୍ତି। ୨୦୧୨ରେ ୟୁକ୍ରେନ୍‌ କିନ୍ତୁ ଏହି ପ୍ରୋଗ୍ରାମ ବନ୍ଦ କରିଦେଇଥିଲା। ଏହାପରେ ୟୁକ୍ରେନ୍‌ର ଟ୍ରେନି ଡଲଫିନ୍‌ଗୁଡିକୁ ୨୦୧୪ରେ ରୁଷ କବ୍‌ଜା କରିନେଇଥିଲା। ସେପଟେ ଆମେରିକା ସରକାର ଡଲଫିନ୍‌ ଓ ସାମୁଦ୍ରିକ ଘୋଡାଗୁଡିକୁ ଟ୍ରେନିଂ ଦେବା ପାଇଁ ପ୍ରାୟ ୨୮ ମିଲିଅନ ଡଲାର ଖର୍ଚ୍ଚ କରିଛନ୍ତି।

Related posts

ଯନ୍ତ୍ରଣାରେ ଛଟପଟ ହେଉଛି ଗୁଳିବିଦ୍ଧ ଦନ୍ତା, ଖାଉନି ଖାଦ୍ୟ

Odisha Halchal

ପାଣି ପାଇଁ ରାସ୍ତା ରୋକ

Odisha Halchal

ପୋଲିସ ଅଧିକାରୀଙ୍କ ଅସଭ୍ୟ ଭାଷାରେ ଗାଳିଗୁଲଜ

Odisha Halchal

Leave a Comment