ଜୀବନଚର୍ଯ୍ୟାଦେଶ ବିଦେଶନ୍ୟୁଜ୍ବିଶେଷ ଖବର

ପଲିଥିନରୁ ପେଟ୍ରୋଲ : ୨ କେଜି ଆବର୍ଜନାରୁ ବାହାରୁଛି ୧ ଲିଟର ଇନ୍ଧନ

ପଲିଥିନରୁ ପେଟ୍ରୋଲ ୨ କେଜି ଆବର୍ଜନାରୁ ବାହାରୁଛି ୧ ଲିଟର ଇନ୍ଧନ

ଯେଉଁ ପଲିଥିନ୍‌ ଓ ଅଦରକାରୀ ପ୍ଲାଷ୍ଟିକ ଆବର୍ଜନାକୁ ଆମେ ବାହାରେ ଫିଙ୍ଗିଦେଉଛେ, ସେଥିରୁ ପ୍ରସ୍ତୁତ ହୋଇପାରୁଛି ପେଟ୍ରୋଲ ଓ ଜାଳେଣି ଗ୍ୟାସ । ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ କଥାଟା ସତ । ସବୁଠୁ ଆଶ୍ଚର୍ଯ୍ୟର କଥା ଏଭଳି ଉଦ୍ଭାବନ କରିଛନ୍ତି ସପ୍ତମ ଶ୍ରେଣୀରୁ ପଢ଼ା ଛାଡ଼ିଥିବା ଜଣେ ଯୁବକ । ସେ ହେଲେ ଖୋର୍ଦ୍ଧା ଜିଲ୍ଲା ଜଟଣୀ ବ୍ଲକ ରାଧାଚରଣପୁର ଗ୍ରାମର ଅଜୟ ବେହେରା । ପେଷାରେ ସେ ଜଣେ ଇଲେକ୍ଟ୍ରିକ ମେକାନିକ । ଉଚ୍ଚ ଶିକ୍ଷିତ କିମ୍ବା କୌଣସି ବୈଷୟିକ ଡିଗ୍ରୀଧାରୀ ହୋଇ ନ ଥିଲେ ମଧ୍ୟ ଏହି ଉଦ୍ଭାବନ ପାଇଁ ସେ ଏବେ ଚର୍ଚ୍ଚାରେ ।

ଅଜୟଙ୍କ ପିତା କୈଳାସ ବେହେରା ଜଣେ ଦିନମଜୁରିଆ । ଅଜୟଙ୍କ ବିଚକ୍ଷଣ କାର୍ଯ୍ୟକୁ ସ୍ଥାନୀୟ ଲୋକେ ପ୍ରଶଂସା କରିଛନ୍ତି । ବର୍ଜ୍ୟବସ୍ତୁରୁ ସେ ବାହାର କରୁଥିବା ତୈଳ ଜାତୀୟ ବା ତରଳ ପଦାର୍ଥକୁ ବାଇକ୍‌ରେ ପକାଇ ଚଲାଉଥିବା ଗାଁର କେତେକ ଯୁବକ କହିଛନ୍ତି । ପଲିଥିନ୍‌ ଓ ପ୍ଲାଷ୍ଟିକ୍‌ ବର୍ଜ୍ୟରୁ ଏହି ତରଳ ପଦାର୍ଥ ବାହାର କରିବା ପାଇଁ ଅଜୟ ୩ ଫୁଟ ଉଚ୍ଚ ଓ ୨ ଫୁଟ ଓସାର ଏକ ଲୁହା ବାକ୍ସ, ୨୦ କେଜିରୁ ୫ କେଜି ପର୍ଯ୍ୟନ୍ତ କ୍ଷମତା ବିଶିଷ୍ଟ କେତୋଟି ବଡ଼ରୁ ଛୋଟ କଣ୍ଟେନର, ସିଲିଣ୍ଡର ଓ ପାଇପ୍‌ ବ୍ୟବହାର କରୁଛନ୍ତି ।

ପଲିଥିନ୍‌ ଓ ପ୍ଲାଷ୍ଟିକ ବର୍ଜ୍ୟବସ୍ତୁକୁ ଲୁହା ବାକ୍ସ ମଧ୍ୟରେ ଭର୍ତ୍ତି କରିବା ପରେ ନିବୁଜ କରି କାଠ ଚୁଲାରେ ଉତ୍ତପ୍ତ କରିଥାନ୍ତି । ଗରମ ହୋଇ ଲୁହା ବାକ୍ସ ଭିତରେ ଥିବା ପଲିଥିନ୍‌ ଓ ପ୍ଲାଷ୍ଟିକ ବର୍ଜ୍ୟ ତରଳିବା ପରେ ସେଥିରୁ ସଂଯୋଗ ଥିବା ପାଇପ୍‌ରେ ପ୍ରଥମେ ୨୦ କେଜି କ୍ଷମତା ବିଶିଷ୍ଟ କଣ୍ଟେନରକୁ ଅଶୋଧିତ ତରଳ ପଦାର୍ଥ ଆସିଥାଏ । ଏଥିରେ ଆସିଥିବା କିଛି ପାଣି ଓ ଖଦଡ଼ା ଅଂଶ କଣ୍ଟେନର ମଧ୍ୟରେ ଥିବା ପୃଥକ୍‌ ଚାମ୍ବରକୁ ଚାଲିଯାଇଥାଏ । ପରେ ବିଶୋଧନ ହୋଇ ପେଟ୍ରୋଲ କୁହାଯାଉଥିବା ତରଳ ପଦାର୍ଥ ଅନ୍ୟ ସିଲିଣ୍ଡରଗୁଡିକୁ ଆସିଥାଏ । ସେଥିରେ ସଂଯୋଗ ଥିବା ଅନ୍ୟ ଏକ ପାଇପ୍‌ରୁ ଗ୍ୟାସ ନିର୍ଗତ ହୋଇଥାଏ । ଏହି ଗ୍ୟାସ ନିଆଁ ସଂସ୍ପର୍ଶରେ ଆସିଲେ ଜାଳେଣି ଗ୍ୟାସ ପରି ଜଳୁଛି । ୨ କେଜି ପଲିଥିନ୍‌ରୁ ୧ ଲିଟର ତରଳ ପେଟ୍ରୋଲିୟମ୍‌ ପଦାର୍ଥ ବାହାରୁଥିବା ଅଜୟ କହିଛନ୍ତି । ଏହାକୁ ଠିକ୍‌ ଭାବେ ବିଶୋଧନ କରିବା ସହ ଖର୍ଚ୍ଚକୁ ଆହୁରି କମ୍‌ କରିବା ଉପରେ ସେ ଉଦ୍ୟମ କରୁଥିବା ପ୍ରକାଶ କରିଛନ୍ତି ।

ବିଜ୍ଞାନ ପ୍ରତି ଏପରି ଅନୁସନ୍ଧିତ୍ସୁ ମନୋଭାବ ଅଜୟଙ୍କ ପିଲାବେଳୁ ରହିଛି । କୌଣସି ତାଲିମ ନେଇନଥିଲେ ମଧ୍ୟ ପିଲାବେଳେ ଫ୍ୟାନ, ଟର୍ଚ୍ଚ ଆଦି କୌଣସି ସାମଗ୍ରୀରେ ଯାନ୍ତ୍ରିକ ତ୍ରୁଟି ଦେଖିଲେ ସେ ସଜାଡିବାକୁ ଉଦ୍ୟମ କରନ୍ତି ଓ ସଫଳ ହୁଅନ୍ତି ମଧ୍ୟ । ଏକ ବିସ୍କୁଟ କାରଖାନାରୁ ବାହାରୁଥିବା ତୈଳଯୁକ୍ତ ବର୍ଜ୍ୟବସ୍ତୁ ଦେଖି ଦୁଇବର୍ଷ ପୂର୍ବେ ପେଟ୍ରୋଲ ବାହାର କରିବା ନିଶା ତାଙ୍କୁ ଘାରିଥିଲା । ସେବେଠାରୁ ସେ ଉଦ୍ୟମ ଜାରି ରଖିଥିଲେ । ଏଥିରେ ସେ ଅନେକାଂଶରେ ସଫଳ ହୋଇଛନ୍ତି । ବୟେଲ ଚାମ୍ବର କଣ୍ଟେନର, ସିଲିଣ୍ଡର ଓ ପାଇପ୍‌ ବାବଦରେ ତାଙ୍କୁ ୩୫ରୁ ୪୦ ହଜାର ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିଛି । ଏସବୁ କିଣିବାକୁ ସେ ନିଜ ବାଇକ୍‌ ବିକ୍ରି କରିଦେଇଥିବା ପ୍ରକାଶ କରିଛନ୍ତି । ତେବେ ପେଟ୍ରୋଲ ଭଳି ଦେଖାଯାଉଥିବା ଓ ବାସ୍ନା ହେଉଥିବା ଏହି ତରଳ ପଦାର୍ଥ ପେଟ୍ରୋଲ କି ନୁହେଁ ତାହା ଉପରେ ଅଧିକ ଗବେଷଣା କରାଯିବାର ଆବଶ୍ୟକତା ରହିଛି ।

Related posts

ସ୍ତ୍ରୀର ଖୁସି ପାଇଁ ପ୍ରତିଦିନ ଚୋରି

Odisha Halchal

ଭିଜିଲାନ୍ସ ଜାଲରେ ତହସିଲ କାର୍ଯ୍ୟାଲୟରେ କାର୍ଯ୍ୟରତ ଡିଇଓ

Odisha Halchal

ମହଙ୍ଗା ପଡିଲା ୧୪୪ ଧାରା ଭାଙ୍ଗିବା, ୭୨ ମହିଳା ଅଟକ

Odisha Halchal

Leave a Comment