ପୁରୀ: ପୁରୀ ଶ୍ରୀକ୍ଷେତ୍ରରେ ଶେଷ ହୋଇଛି ଶ୍ରୀଜିଉଙ୍କ ନାଗାର୍ଜୁନ ବେଶ। ଏନେଇ ପୁରୀ ଜିଲ୍ଲାପାଳ ସୂଚନା ଦେଇଛନ୍ତି। ବେଶ କାର୍ଯ୍ୟ ୩ ଘଣ୍ଟା ବିଳମ୍ବରେ ଆରମ୍ଭ ହୋଇଥିଲା। ଭୋର ୪ଟା ପରିବର୍ତ୍ତେ ସକାଳ ୭ଟାରେ ଆରମ୍ଭ ହୋଇଥିଲା। ମହାପ୍ରଭୁଙ୍କ ସୁନା ଗଣତିକୁ ନେଇ ବିବାଦ କାରଣରୁ ବେଶ ବିଳମ୍ବିତ ହୋଇଥିଲା।
ସୂଚନା ଅନୁସାରେ, ଭଣ୍ଡାର ମେକାପ ଓ ଖୁଣ୍ଟିଆ ସେବାୟତଙ୍କ ମଧ୍ୟରେ ବିବାଦ ଦେଖାଦେଇଥିଲା। ଅଧିକ ସେବାୟତ ନିୟୋଜନ ନେଇ ବିବାଦ ଉପୁଜି ଥିବାବେଳେ ଶ୍ରୀମନ୍ଦିର ପ୍ରଶାସକଙ୍କ ହସ୍ତକ୍ଷେପ ଓ ବୁଝାସୁଝା ପରେ ବେଶ ଲାଗି ଆରମ୍ଭ ହୋଇଥିଲା। ଦୀର୍ଘ ୨୬ ବର୍ଷ ପରେ ବଡ଼ ଠାକୁରଙ୍କ ଏହି ବିରଳ ବେଶ ହୋଇଛି।
ଶ୍ରୀମନ୍ଦିରରେ ମହାବାହୁଙ୍କ ବେଶ ପହଞ୍ଚିବା ପରେ ନୀତିକାନ୍ତି ଆରମ୍ଭ ହୋଇଥିଲା। ଅବକାଶ ନୀତି ସରିବା ପରେ ମଇଲମ ହୋଇଥିଲା। ସମାନ ସମୟରେ ଚାଲିଥିଲା ମହାପ୍ରଭୁଙ୍କ ନାଗାର୍ଜୁନ ବେଶ। ୧୬ ପ୍ରକାର ପାରମ୍ପରିକ ଯୁଦ୍ଧାସ୍ତ୍ରରେ ସଜ୍ଜିତ ହୋଇଥିଲେ ମହାପ୍ରଭୁ। ତ୍ରିଭୁବନେଶ୍ୱରୀ ବେଶରେ ସଜେଇ ହେଲେ ମାଆ ସୁଭଦ୍ରା। ତେବେ ମହାବାହୁଙ୍କ ନାଗା ବେଶ ପାଇଁ ଶ୍ରୀମନ୍ଦିର ପରିସର ବାହାରେ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଥିଲା। ଘଣ୍ଟଘଣ୍ଟା ସହ ବୀର ବାଦ୍ୟରେ କମ୍ପିଥିଲା ସିଂହଦ୍ୱାର।
୨୫ ବର୍ଷ ପରେ ଶ୍ରୀଜିଉଙ୍କ ଏହି ବେଶ ହେଉଥିବାବେଳେ ଭକ୍ତ ଭଗବାନଙ୍କ ଦର୍ଶନରୁ ବଞ୍ଚିତ ହୋଇଛି। ତେଣୁ ୧୪୪ ଧାରା ଲାଗିବା ସତ୍ତ୍ୱେ ବଡ଼ ଦାଣ୍ଡକୁ ଟାଣି ହୋଇ ଆସିଛନ୍ତି ଭକ୍ତ। ସୂଚନାଯୋଗ୍ୟ, କାର୍ତ୍ତିକ ମଳ ତ୍ରୈୟୋଦଶୀ ତିଥିରେ ମହାପ୍ରଭୁଙ୍କ ନାଗାର୍ଜୁନ ବେଶ ହୋଇଥାଏ।