ଅପରାଧଓଡ଼ିଶା ଖବରନ୍ୟୁଜ୍

ଯୌତୁକ ନିର୍ଯାତନା ଦେଇ ଘରୁ ତଡ଼ିବା ପରେ ସ୍ବାମୀର ଦ୍ବିତୀୟ ବିବାହ

ଯୌତୁକ ନିର୍ଯାତନା ଦେଇ ଘରୁ ତଡ଼ିବା ପରେ ସ୍ବାମୀର ଦ୍ବିତୀୟ ବିବାହ

ଅଧିକ ଯୌତୁକ ପାଇଁ ବୋହୂକୁ ଶାରୀରିକ ଓ ମାନସିକ ନିର୍ଯାତନା ଦେଇଆସୁଥିଲା ସ୍ବାମୀ। କିନ୍ତୁ ‌ଯୌତୁକ ଆଣି ନ ପାରିବାରୁ ଶ୍ବଶୁରଘର ଲୋକେ ବୋହୂକୁ ଘରୁ ତଡ଼ିଦେଲେ। କନ୍ୟାପକ୍ଷ ନ୍ୟାୟ ପାଇଁ ପୁଲିସର ଦ୍ବାରସ୍ଥ ବି ହେଲେ। କିନ୍ତୁ ମାମଲା ରୁଜୁ ସତ୍ତ୍ବେ ପୁଲିସ ଆପୋସ ସମାଧାନ କଲା ନାହିଁ କି, କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଗଲାନି। ଶେଷରେ ସ୍ବାମୀ ୧୫ ଦିନ ତଳେ ଆଉ ଜଣେ ଯୁବତୀଙ୍କୁ ଦ୍ବିତୀୟ ବିବାହ କରିଛନ୍ତି। ଆଉ ପ୍ରଥମ ପତ୍ନୀ ନ୍ୟାୟ ନ ପାଇ ବେସାହାରା ଭାବେ ମାନସିକ ଦୁଶ୍ଚିନ୍ତାରେ ପଡ଼ି ରହିଛନ୍ତି। ଗତ ୩୦ ତାରିଖରେ ପୁଣି ଥାନାର ଦ୍ବାରସ୍ଥ ହୋଇଥିଲେ ବି ଏଯାଏ ପୁଲିସ ତଦନ୍ତ ପ୍ରକ୍ରିୟାକୁ ତ୍ବରାନ୍ବିତ କରିବାରେ ପଛଘୁଞ୍ଚା ଦେଉଥିବା ଅଭିଯୋଗ ହୋଇଛି। ଗଞ୍ଜାମ ଜିଲ୍ଲା ଜରଡ଼ା ଥାନା ଓ ପାତ୍ରପୁର ବ୍ଲକ୍ ପୋଲରାଜପୁର ଗ୍ରାମରେ ଏଭଳି ଏକ ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି।

ସୂଚନାନୁସାରେ, ଉକ୍ତ ଗ୍ରାମର ଲିମା ସାହୁଙ୍କ ବଡ଼ପୁଅ ଜିତେନ୍ଦ୍ର (୨୯) ୨୦୧୮ ମସିହା ଫେବ୍ରୁଆରି ୨ ତାରିଖରେ ଡୁବୁଡୁବା ସାହୁଙ୍କ ସାନଝିଅ ସଂଗୀତା ସାହୁ (୨୪)ଙ୍କୁ ବୈଦିକ ରୀତିରେ ବିବାହ କରିଥିଲେ। ଦାବି ମୁତାବକ କନ୍ୟାପକ୍ଷ ବରକୁ ୯୦ ହଜାର ଟଙ୍କା ନଗଦ ସମେତ ସୁନାଚେନ୍, ଗାଡ଼ି ବାବଦକୁ ୮୦ହଜାର ଟଙ୍କା, ଝିଅକୁ ୫ ଭରି ସୁନା ଗହଣା, ଖଟ, ପେଟି, ଫ୍ରିଜ୍, ଆଲମିରା ଓ ଡ୍ରେସିଂ ଟେବୁଲ୍ ଏଭଳି ପ୍ରାୟ ୨ ଲକ୍ଷ ଟଙ୍କାର ଆସବାବପତ୍ର ଦେଇଥିଲେ। ବିବାହର ୬ ମାସ ପର୍ଯ୍ୟନ୍ତ ଦାମ୍ପତ୍ୟ ଜୀବନ ଭଲରେ କଟିଥିଲା।

ଏହାପରେ ଅଧିକ ଯୌତୁକ ବାବଦରେ ସୁନା ଅଳଙ୍କାର ଓ ଅଧିକ ୫୦ ହଜାର ଟଙ୍କା ପାଇଁ ସଂଗୀତାଙ୍କ ଉପରେ ସ୍ବାମୀ ଜିତେନ୍ଦ୍ର ଓ ଶ୍ବଶୁରଘର ଲୋକେ ଅକଥନୀୟ ମାନସିକ ଏବଂ ଶାରୀରିକ ନିର୍ଯାତନା ଆରମ୍ଭ କରିଦେଇଥିଲେ। କିନ୍ତୁ ଯୌତୁକ ଆଣି ନ ପାରିବାରୁ ସଂଗୀତାଙ୍କୁ ଶ୍ବଶୁରଘର ଲୋକେ ୨୦୨୦ ମସିହାରେ ତଡ଼ିଦେଇଥିଲେ। ଏହାପରେ ସଂଗୀତା ବାପଘରେ ଆଶ୍ରୟ ନେବା ସହ ‌ଜରଡ଼ା ଥାନାରେ ଯୌତୁକ ନିର୍ଯାତନା ନେଇ ଏତଲା ଦେବା ପରେ ମାମଲା ରୁଜୁ ହୋଇଥିଲା। କିନ୍ତୁ ପୁଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନଥିଲା। ୨୦୨୦ରୁ ସଂଗୀତା ବାପଘରେ ରହିଆସୁଛନ୍ତି। ଏହାମଧ୍ୟରେ ଗତ ୧୫ ଦିନ ତଳେ ସ୍ବାମୀ ଜିତେନ୍ଦ୍ର ଆଉ ଜଣେ ଯୁବତୀଙ୍କୁ ଦ୍ବିତୀୟ ବିବାହ କରିଛନ୍ତି।

ଏହା ଜାଣିବା ପରେ ସଂଗୀତା ଗତ ୨୭ ତାରିଖରୁ ଜରଡ଼ା ଥାନାକୁ ଦୌଡ଼ୁଥିଲେ ବି ପୁଲିସ ତାଙ୍କ ଅଭିଯୋଗକୁ ରଖି ନଥିଲା। ‘ତୁମର ପ୍ରଥମ ଏତଲାରେ ମାମଲା ରୁଜୁ ହୋଇଥିବା ସହ କୋର୍ଟରେ ଏହା ବିଚାର ଚାଲିଛି’ ବୋଲି ସଂଗୀତାଙ୍କୁ କୁହାଯାଇଥିଲା। ଶେଷରେ ସଂଗୀତା ନିରାଶ ହୋଇ ବ୍ରହ୍ମପୁର ଏସ୍‌.ପି.ଙ୍କ ଦ୍ବାରସ୍ଥ ହେବା ପରେ ଗତ ୩୦ ତାରିଖରେ ଜରଡ଼ା ଥାନା ତାଙ୍କ ଏତଲା ଗ୍ରହଣ କରିଛି। ତେବେ ପାଞ୍ଚଦିନ ବିତିସାରିଥିଲେ ବି, ପୁଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ ନଥିବା ସଂଗୀତାଙ୍କ ପରିବାର ଲୋକେ ଅଭିଯୋଗ ଆଣିଛନ୍ତି। ପୂର୍ବରୁ ପୁଲିସ ‌ଯୌତୁକ ନିର୍ଯାତନା ମାମଲାର ତଦନ୍ତ କରିଥିଲେ ଜିତେନ୍ଦ୍ର ଦ୍ବିତୀୟ ବିବାହ କରିବାକୁ ସାହସ ଜୁଟାଇ ପାରି ନଥାନ୍ତେ।

ବର୍ତ୍ତମାନ ବି ପୁଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରି ଜିତେନ୍ଦ୍ରଙ୍କ ପରିବାରକୁ ସୁରକ୍ଷା ଦେଉଛି ବୋଲି ସେମାନେ ଅଭିଯୋଗ କରିଛନ୍ତି। ଅନ୍ୟପଟେ ସ୍ବାମୀଙ୍କ ଦ୍ବିତୀୟ ବିବାହ ଖବର ଜାଣିବା ପରେ ସଂଗୀତା ମାନସିକସ୍ତରରେ ଭାଙ୍ଗି ପଡ଼ିଛନ୍ତି। ଦୁଃଖଯନ୍ତ୍ରଣାରେ ଦିନ କାଟୁଥିବା ଦେଖିବାକୁ ମିଳିଛି। ‘ପୁଲିସ ଓ ପ୍ରଶାସନ ମୋତେ ନ୍ୟାୟ ଦେଉ’ ‌ବୋଲି ସେ କୋହଭରା ନିବେଦନ କରିଛନ୍ତି।ନ୍ୟାୟ ପାଇଁ ପୁଲିସର ଦ୍ବାରସ୍ଥ ହେଲେ ପ୍ରଥମ ପତ୍ନୀ, ଅଭିଯୋଗରେ ୫ ଦିନ ପରେ ବି କାର୍ଯ୍ୟାନୁଷ୍ଠାନ ଶୂନ

Related posts

ମାଡ଼ ମାରି ଛାତ୍ରକୁ ଆହତ କଲେ ସମ୍ପାଦକ

Odisha Halchal

ଅଭିଯୁକ୍ତଙ୍କୁ ପୁଣି ରିମାଣ୍ଡରେ ନେବାକୁ ଅନୁମତି ଦେଲେ କୋର୍ଟ

Odisha Halchal

ହଷ୍ଟେଲର ୱାର୍ଡେନ ମାଡାମଙ୍କ ଶାସ୍ତ୍ର ଜ୍ଞାନ

Odisha Halchal

Leave a Comment