ଓଡ଼ିଶା ଖବରନ୍ୟୁଜ୍ବିଶେଷ ଖବର

ବାତ୍ୟା: ପୁରୀ ଠାରୁ ୭୪୦କିମି ଦୂରରେ ‘ଅସାନି’,

ବାତ୍ୟା ପୁରୀ ଠାରୁ ୭୪୦କିମି ଦୂରରେ ‘ଅସାନି’,

ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ସୃଷ୍ଟ ବାତ୍ୟା ‘ଅସାନି’ ରବିବାର ସନ୍ଧ୍ୟାରେ ଭୀଷଣ ରୂପ ନେଇସାରିଛି । ଏହା ଘଣ୍ଟା ପିଛା ୨୧ କିଲୋମିଟର ବେଗରେ ଅଗ୍ରସର ହେଉଛି । ଆଜି ସନ୍ଧ୍ୟା ସୁଦ୍ଧା ବାତ୍ୟାର ଆହୁରି ଭୟଙ୍କର ରୂପ ନେବାର ଆଶା କରାଯାଉଛି । ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ କୁହାଯାଉଛି ଯେ, ସମୁଦ୍ର ଭିତରେ ବାତ୍ୟାର ପ୍ରଭାବରେ ପବନ ପ୍ରାୟ ୧୦୦ କିମି ବେଗରେ ଅଗ୍ରସର ହେଉଥିବାରୁ ସମୁଦ୍ର ଅଶାନ୍ତ ଦେଖାଯାଇଛି ।

ପୁରୀର ଦକ୍ଷିଣ-ପୂର୍ବ ଦିଗରେ ୭୪୦କିମି ଦୂରରେ କେନ୍ଦ୍ରୀଭୂତ ହୋଇଛି ବୋଲି ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଟୁଇଟ୍ କରି ସୂଚନା ଦିଆଯାଇଛି । ପାଣିପାଗ ବିଭାଗର ପୂର୍ବାନୁମାନ ଅନୁସାରେ ବାତ୍ୟାର ପ୍ରକୃତ ପ୍ରଭାବ ୧୦ ତାରିଖ ସନ୍ଧ୍ୟା ସମୟରେ ଉତ୍ତର ଆନ୍ଧ୍ରପ୍ରଦେଶ ଓ ଓଡ଼ିଶା ଉପକୂଳରେ ପହଞ୍ଚିପାରେ । କିନ୍ତୁ ବାତ୍ୟା ସ୍ଥଳଭାଗ ନ ଛୁଇଲେ ମଧ୍ୟ ଏହାର ପ୍ରଭାବ ପଡ଼ିବ । ସେଥିପାଇଁ ପୁରୀ, କେନ୍ଦ୍ରାପଡ଼ା, ଗଂଜାମ ଓ ଜଗତସିଂହପୁର ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି ।

ରାଜ୍ୟ ସରକାର ବାତ୍ୟା ପୂର୍ବରୁ ଗଂଜାମ ଜିଲ୍ଲାର ଛତ୍ରପୁର, ଗଂଜାମ, ଚିକିଟି, ରଙ୍ଗେଇଲୁଣ୍ଡା, ପୁରୀ ଜିଲ୍ଲାର କୃଷ୍ଣପ୍ରସାଦ, ବ୍ରହ୍ମଗିରି, ପୁରୀ ସଦର, ଗୋପ, କାକଟପୁର, ଅନ୍ତରଙ୍ଗ, ଜଗତସିଂହପୁର ଜିଲ୍ଲାର ବାଲିକୁଦା, ଏରସମା, କୁଜଙ୍ଗ ଓ କେନ୍ଦ୍ରାପଡ଼ା ଜିଲ୍ଲାର ମହାକାଳପଡ଼ା ରାଜନଗର ବ୍ଲକକୁ ଅଧିକ ସତର୍କ କରିଛନ୍ତି । ଏହି ସବୁ ବ୍ଲକରେ ଥିବା ମାଟି ଘର ଓ କୁଡିଆ ଘରେ ରହୁଥିବା ଲୋକଙ୍କୁ ବାତ୍ୟା ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତରିତ କରିବାକୁ ସ୍ୱତନ୍ତ୍ର ରିଲିଫ କମିସନର ପ୍ରଦୀପ କୁମାର ଜେନା ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

ପୂର୍ବରୁ ରାଜ୍ୟ ସରକାର ଚାଷୀମାନଙ୍କୁ ନିଜର ଫସଲ ସୁରକ୍ଷା ରଖିବା ପାଇଁ ପରାମର୍ଶ ଦେଇଥିଲେ । ସେହିପରି ବିଦ୍ୟୁତ ବିଭାଗ, ଟେଲିଫୋନ କଂପାନୀ, ଓଡ୍ରାଫ୍ ଟିମ୍‌କୁ ସତର୍କ ରହିବାକୁ ନିର୍ଦ୍ଦେଶ ଦେଇଥିଲେ । ମତ୍ସ୍ୟଜୀବୀମାନଙ୍କୁ ସତର୍କ ସୂଚନା ଦିଆଯାଇଥିବା ବେଳେ ରାଜ୍ୟର ୪ଟି ପ୍ରମୁଖ ବନ୍ଦରକୁ ମଧ୍ୟ ଆଲର୍ଟ କରିଦିଆଯାଇଛି ।

Related posts

ଏବେ ଆଉ ଯାତ୍ରାରେ ଅଶ୍ଳୀଳ ନୃତ୍ୟ ହେଇପାରିବନି

Odisha Halchal

ଥାନା ସାମ୍ନାରେ କିରୋସିନ ଡାଲି ମହିଳାଙ୍କ ଆତ୍ମହୁତି ଉଦ୍ୟମ

Odisha Halchal

ପୁଣି ଚମକିଲେ ନବରଙ୍ଗପୁର ଜିଲ୍ଲାର ଝିଅ

Odisha Halchal

Leave a Comment