ଅପରାଧଓଡ଼ିଶା ଖବରନ୍ୟୁଜ୍

ଦେବଗଡ଼ ଡାକ୍ତରଖାନାରୁ ବୁର୍ଲା ସ୍ଥାନାନ୍ତର ହେଲେ ଗିରଫ ବିଧାୟକ

ଦେବଗଡ଼ ଡାକ୍ତରଖାନାରୁ ବୁର୍ଲା ସ୍ଥାନାନ୍ତର ହେଲେ ଗିରଫ ବିଧାୟକ

ଦେବଗଡ଼:-ବିଡିଓଙ୍କୁ ମାଡ଼ ମାରିବା ଘଟଣାରେ ଗିରଫ ହେବା ପରେ ଅସୁସ୍ଥତା ଯୋଗୁ ଦେବଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିବା ବିଧାୟକ ସୁବାସ ଚନ୍ଦ୍ର ପାଣିଗ୍ରାହୀଙ୍କୁ ଆଜି ବୁର୍ଲା ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ବିଧାୟକଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଅବନତି ହେବାରୁ ତାଙ୍କୁ ବୁର୍ଲା ପଠାଯାଇଥିବା କହିଛନ୍ତି ଡାକ୍ତର।

ଦେବଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ମେଡିସିନ୍ ବିଭାଗ ଡାକ୍ତର ମନୋରଞ୍ଜନ ସାମଲ କହିଛନ୍ତି, ଡାକ୍ତରଖାନାରେ ଭର୍ତ୍ତି ହେବା ବେଳେ ବିଧାୟକଙ୍କ ଅବସ୍ଥା ଭଲ ନଥିଲା। ତାଙ୍କର ବ୍ଲଡ୍ ପ୍ରେସର ଅଧିକ ଥିଲା। ସୁଗାର ମଧ୍ୟ ବଢ଼ିଥିଲା। ସୁଗାର ଏବେ ବି ଅଧିକ ରହିଛି। ତା’ସହିତ କୋଲେଷ୍ଟ୍ରଲ୍ ବି ଅଧିକ ରହିଛି। ସେ ଏଠାକୁ ଆସିଲା ଦିନଠୁ ଛାତିରେ ଯନ୍ତ୍ରଣା ହେଉଥିବା ଓ ମୁଣ୍ଡ ବୁଲାଉ ଥିବା କହୁଥିଲେ। ଏଠାରେ ଦୁଇ-ତିନି ଦିନ ରହିଲା ପରେ ବି ତାଙ୍କ ସ୍ୱାସ୍ଥ୍ୟାବସ୍ଥାରେ କିଛି ଉନ୍ନତି ହେଲା ନାହିଁ। ତେଣୁ ଆମେ ତାଙ୍କୁ ବୁର୍ଲା ରେଫର କରି ଦେଲୁ। କାରଣ ଏଠାରେ କାର୍ଡିଓଲୋଜି ଓ ନ୍ୟୁରୋଲୋଜି ସେବା ଉପଲବ୍ଧ ନାହିଁ।

ଗତ ଶନିବାର ତିଳେଇବଣି ବିଡିଓ କୃଷ୍ଣଚନ୍ଦ୍ର ଦଳପତିଙ୍କ ଏତଲା ଆଧାରରେ ଦେବଗଡ଼ ପୁଲିସ ବିଧାୟକ ସୁବାସ ଚନ୍ଦ୍ର ପାଣିଗ୍ରାହୀଙ୍କୁ ଭୁବନେଶ୍ୱର ସ୍ଥିତ ତାଙ୍କ ସରକାରୀ ବାସଭବନରୁ ଗିରଫ କରିଥିଲା। ରବିବାର ଜାମିନ ନାମଞ୍ଜର ହୋଇଯିବାରୁ ତାଙ୍କୁ ୭ ଦିନ ପାଇଁ ବିଚାରବିଭାଗୀୟ ହାଜତକୁ ପଠାଇ ଦିଆଯାଇଥିବା ବେଳେ ଅସୁସ୍ଥ ଅନୁଭବ କରିବାରୁ ତାଙ୍କୁ ସେହି ଦିନ ରାତିରେ ଦେବଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା।

ତିଳେଇବଣି ବିଡିଓଙ୍କୁ ମାଡ଼ ମାରିବା ଅଭିଯୋଗକୁ ବିଧାୟକ ଶ୍ରୀ ପାଣିଗ୍ରାହୀ ଖଣ୍ଡନ କରିଥିବା ବେଳେ ଓଲଟି ତାଙ୍କୁ ଦୁର୍ବ୍ୟବହାର କରିବା ସହିତ ହତ୍ୟା କରିବାକୁ ବିଡିଓ ଧମକ ଦେଇଥିବା କହିଛନ୍ତି। ଏନେଇ ସେ ପ୍ରଥମେ ଦେବଗଡ଼ ଥାନାରେ ଏତଲା ଦେଇଥିଲେ। କିନ୍ତୁ ବିଜେଡି ସରକାରଙ୍କ ଚାପରେ ପୁଲିସ୍ ତାଙ୍କ ଏତଲା ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରି ବିଡିଓଙ୍କ ଅଭିଯୋଗକ୍ରମେ ତାଙ୍କୁ ଗିରଫ କରିଛି ବୋଲି କହିଛନ୍ତି।

ବିଡିଓ କୃଷ୍ଣଚନ୍ଦ୍ର ଦଳପତି ଗତ ଶନିବାର ତାଙ୍କୁ ସାକ୍ଷାତ କରିବାକୁ ସମୟ ଦେଇ ସକାଳ ୯ଟାରୁ ଅପରାହ୍ଣ ଗୋଟାଏ ପର୍ଯ୍ୟନ୍ତ ଏ ଜାଗା ସେ ଜାଗା ବୁଲାଇ ଥିଲେ ବୋଲି ବିଧାୟକ ଅଭିଯୋଗ କରିଛନ୍ତି। ଆଉ ଶେଷରେ ଯେତେବେଳେ ସାକ୍ଷାତ ହେଲା ବିଡିଓ ତାଙ୍କୁ ଅଶ୍ଲୀଳ ଭାଷାରେ ଗାଳିଗୁଲଜ କରିବା ସହିତ ଭୁବନେଶ୍ୱରରୁ ଗୁଣ୍ଡା ଆଣି ମାରି ଦେବେ ବୋଲି କହିଥିବା ବିଧାୟକ କହିଛନ୍ତି। ଅନ୍ୟପକ୍ଷରେ ବିଡିଓ ତାଙ୍କ ଏତଲାରେ ଦର୍ଶାଇଛନ୍ତି ଯେ ତାଙ୍କୁ ମାରି ଦେବା ଉଦ୍ଦେଶ୍ୟରେ ବିଧାୟକ ଓ ତାଙ୍କ ସହଯୋଗୀମାନେ ଆକ୍ରମଣ କରିଥିଲେ।

Related posts

ବିଷ ଦେଇ ମାରିଦେଲେ ପାଞ୍ଚ ମାଙ୍କଡ

Odisha Halchal

ରୁଷିଆ-ୟୁକ୍ରେନ୍ ଯୁଦ୍ଧ: କିଭ୍ ଓବ୍ଲାଷ୍ଟରେ ୭୨୦ ମୃତଦେହ ଉଦ୍ଧାର

Odisha Halchal

ଓଡିଶା ପୋଲିସ କେ. ନାଇନ୍ ସ୍କ୍ବାର୍ଡରେ ସାମିଲ ହେଲା ବେଲଜିୟମ୍ ମେଲେନିୟସ ପ୍ରଜାତି କୁକୁର

Odisha Halchal

Leave a Comment