ଓଡ଼ିଶା ଖବରନ୍ୟୁଜ୍

ଏ ଖାଦ୍ୟକୁ କୁକୁର ଖାଉନାହାନ୍ତି, ସରକାର ଆସି ଚାଖନ୍ତୁ

ଏ ଖାଦ୍ୟକୁ କୁକୁର ଖାଉନାହାନ୍ତି, ସରକାର ଆସି ଚାଖନ୍ତୁ

ଏ ଖାଦ୍ୟକୁ କୁକୁର ଖାଉନାହାନ୍ତି। ଆମ ପିଲା କେମିତି ଖାଇବେ। ସରକାର ଆସି ଚାଖନ୍ତୁ। ଆଜି ଆସିଥିବା ଭାତ ଓ ତରକାରୀରୁ ଦୁର୍ଗନ୍ଧ ବାହାରୁଛି। ଗତ ବୁଧବାର ଦିନ ଆସିଥିବା ମଧ୍ୟାହ୍ନ ଭୋଜନରୁ ପୋକ ବାହାରିଥିଲା। ମଙ୍ଗଳବାର ଦିନ ଅସରପା ଗୋଡ଼ ବାହାରିଥିଲା। ଶନିବାର ଝିଟିପିଟି ଲାଞ୍ଚ ବାହାରିଥିଲା। ଆଜି ଆସିଥିବା ମଟର ତରକାରୀରେ ପୋଚା ଆଳୁ ପଡ଼ିଥିଲା। ସାର, ସ୍କୁଲ ପରିଚାଳନା କମିଟି ସଦସ୍ୟ, ଅଭିଭାବକ ସମସ୍ତେ ଚାଖିଲେ। ବାସୀ ଭାତ, ତରକାରୀ ପିଲାମାନଙ୍କୁ ଦିଆଯାଉଥିବା ଜାଣିବା ପରେ ଏହାକୁ ରାସ୍ତାରେ ଢାଳି ଦିଆଗଲା। ଏଭଳି ଉଦ୍‌ବେଗ ପ୍ରକାଶ କରିବା ସହ ଆଜି ବାସୁଦେବପୁର ପୌରପାଳିକା ରାଧାକାନ୍ତପୁର ଗ୍ରାମର ଦିବାକର ମିଶ୍ର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟକୁ ଆସିଥିବା ମଧ୍ୟାହ୍ନ ଭୋଜନକୁ ରାସ୍ତାରେ ଢାଳି ଦେଇଛନ୍ତି ଅଭାଭାବକ।

ତେବେ ଏହି ଘଟଣା ସମ୍ପର୍କରେ ମଧ୍ୟାହ୍ନ ଭୋଜନ ଦାୟିତ୍ୱରେ ଥିବା ନୋଡାଲ ଅଧିକାରୀଙ୍କୁ ପଠାଇ ଘଟଣାର ତଦନ୍ତ କରିବେ ବୋଲି ବ୍ଲକ ଶିକ୍ଷା ଅଧିକାରୀ ସୂଚନା ଦେଇଛନ୍ତି।ଅବିଭାବକ ସୁମିତ୍ରା ମଣ୍ଡଳ କହିଛନ୍ତି, ଆମ ପିଲାମାନେ ବଦମାସୀ କରି ସ୍କୁଲ ମଧ୍ୟାହ୍ନ ଭୋଜନ ଭଲ ନୁହେଁ କହୁଥିବା ଆଶଙ୍କା କରି, ଆଜି ସ୍କୁଲରେ ପହଞ୍ଚି ଭାତ ଓ ତରକାରୀ ଦେଖିବା ସହ ଚାଖିଥିଲୁ। ସେମାନଙ୍କୁ ବାସୀ ଖାଦ୍ୟ ଦିଆଯାଉଥିବା ଜଣାପଡ଼ିଥିଲା। ସରକାର ଯଦି ଭଲ ଖାଦ୍ୟ ଦେଉଛନ୍ତି ତେବେ ପ୍ରତ୍ୟେକ ଦିନ ଆସି ଖାଦ୍ୟ ଖାଇକି ଦେଖନ୍ତୁ। ଯେ ପିଲାମାନଙ୍କୁ କେଉଁ ଟାଇପ୍‌ର ଖାଦ୍ୟ ଦିଆଯାଉଛି। ଯଦି ସ୍କୁଲରେ ଏଭଳି ଆମ୍ବିଳା ଓ ବାସୀ ଖାଦ୍ୟ ଦେବେ ଆମର ପିଲାମାନେ ଖୋଇବା ଦରକାର ନାହିଁ। ଦବାର ଅଛି ତ ଶୁଖିଲା ଖାଦ୍ୟ ଦିଅନ୍ତୁ। ସ୍କୁଲରେ ଆମେ ରୋଷେଇ କରି ଆମେ ପିଲାମାନଙ୍କୁ ଖାଇବାକୁ ଦବୁ। ନଚେତ କିଛି ବି ଦେବା ଦରକାର ନାହିଁ। ଆମେ ପିଲାମାନଙ୍କ ପାଇଁ ଘରୁ ଟିଫିନ୍ ଆଣି ଦେଇକି ଯିବୁ। ଘର ଖାଦ୍ୟ ଖାଇବେ। ସ୍କୁଲରେ ପାଠପଢ଼ି ସୁସ୍ଥରେ ଘରକୁ ଫେରିବେ। ଆଗକୁ ଖାଦ୍ୟ ଦେଲେ ଫେରାଇ ଦେବୁ, ନଚେତ୍ ରାସ୍ତାରେ ଢାଳି ଦେବୁ।

ବିଦ୍ୟାଳୟ ପରିଚାଳନା କମିଟି ଉପସଭାପତି ଗୌରୀଳତା କଳା କହିଛନ୍ତି, ବାସୀ ଭାତ ଓ ତରକାରୀ ସ୍କୁଲରେ ଆସି ପହଞ୍ଚୁଛି। ଆମକୁ ଅଭିଭାବକମାନେ ଜଣାଇବା ପରେ ଏମ୍‌ସିସି କମିଟିର ସଦସ୍ୟମାନେ ଆସି ଶିକ୍ଷକଙ୍କୁ ଜଣାଇଲୁ। ଶିକ୍ଷକ କହିଲେ, ତୁମେ ବିଇଓଙ୍କୁ ଜଣାଅ। ସେଠାରୁ ନିର୍ଦ୍ଦେଶ ଆସିବା ପରେ ଆମେ କିଛି ଆକ୍ସନ ନେବୁ। ଗତ ଥର ବାସୀ ଓ ଖରାପ ଖାଦ୍ୟ ଆସୁଥିବାରୁ ଏହାକୁ ଫେରାଇ ଦିଆଯାଇଥିଲା। ହେଲେ ଆଜି ପୁଣି ଏଭଳି ନଷ୍ଟ ହୋଇଯାଇଥିବା ଖାଦ୍ୟ ଆସିଛି। ଏହି ଖାଦ୍ୟକୁ ଶିକ୍ଷକ, ଅଭିଭାବକମାନେ ଚାଖିଲେ। ଖରାପ ଖାଦ୍ୟ ହୋଇଥିବାରୁ ପିଲା ଆଦୌ ଏହାର ପାଖ ମାଡ଼ିଲେନି। ବାଧ୍ୟ ହୋଇ ଆମେ ସେ ଖାଦ୍ୟକୁ ଢାଳି ଦେଲୁ। ଯାହାକୁ କୁକୁର ବି ଛୁଇଁ ଲାନି।

ଅବିଭାବକ ରାଜାରାମ କଳା କହିଛନ୍ତି, ଦିଆଯାଉଥିବା ଅଣ୍ଡା ଭିତରୁ କଳା ବାହାରୁଛି। ଏଭଳି ଖାଦ୍ୟ ବାଣ୍ଟିବାରେ ଯେଉଁ ଅଫିସର ଲିପ୍ତ ଅଛନ୍ତି, ସେମାନଙ୍କୁ ପ୍ରଥମେ ଏହି ଛୁଆଙ୍କ ଖାଦ୍ୟ ଖାଇବାକୁ ଦିଆଯାଉ। ପିଲାଙ୍କୁ ଭଲ ଖାଦ୍ୟ ଦିଆ ନ ଗଲେ ଆଗକୁ ଅନ୍ଦୋଳନ କରାଯିବ। ପୂର୍ବରୁ ଏହି ବିଦ୍ୟାଳୟରେ ରୋଷେଇ ହୋଇ ମଧ୍ୟାହ୍ନ ଭୋଜନ ପିଲାମାନଙ୍କୁ ଦିଆଯାଉଥିଲା | ପିଲାମାନେ ଗରମ ଗରମ ଖାଦ୍ୟ ଖାଉଥିଲେ। ଗତ ସପ୍ତାହେ ହେବ ବିଦ୍ୟାଳୟରେ ରୋଷେଇ ବନ୍ଦ କରାଯାଇଛି। ବାହାରୁ ସ୍ୱେଚ୍ଛାସେବୀ ସଂଗଠନ ପକ୍ଷରୁ ଗାଡ଼ି ଯୋଗେ ଖାଦ୍ୟ ପଠାଇ ଦିଆଯାଉଛି। ଏହି ଖାଦ୍ୟ ଅତି ନିମ୍ନମାନର ବୋଲି ସେ କହିଛନ୍ତି।ଛାତ୍ରଛାତ୍ରୀମାନେ କହିଛନ୍ତି, ଖାଦ୍ୟରୁ ବାଇଗଣ ପୋକ ବାହାରୁଛି। ଅସରପା ଗୋଡ଼ ବାହାରୁଛି। ପୋଚା ଆଳୁରେ ତିଆରି ବାସୀ ତରକାରୀ ଦିଆଯାଉଛି।

Related posts

ଭାରତ ଠାରୁ ଖସିଲା ବିଶ୍ୱର ପଞ୍ଚମ ବୃହତ ଅର୍ଥନୀତିର ମାନ୍ୟତା

Odisha Halchal

ଶୌଚ ହେବାକୁ ନେଇ ଝଗଡ଼ା; ଛୁରାମାଡ଼ରେ ଜଣେ ମୃତ ୨ ଗୁରୁତର

Odisha Halchal

ଅବ୍ୟବସ୍ଥାରେ ଚାଲିଛି ଧାନମଣ୍ଡି

Odisha Halchal

Leave a Comment